ପ୍ରତିଦାନ
ପ୍ରତିଦାନ
ଜୀବନ ରହିଲେ ଜଞ୍ଜାଳ ରହିବ
ସମସ୍ୟା ରହିବ କିଛି,
ସମାଧାନ ପାଇଁ ସଂଗ୍ରାମ କରିଲେ
ଅବଶ୍ୟ ପାରିବା ବଞ୍ଚି।
ଶିବ ଆଉ ଶକ୍ତି ମିଳନରେ ପରା
ସୁନ୍ଦର ସୃଷ୍ଟିଟେ ହୁଏ,
ସେହି ସୃଷ୍ଟି ପାଇଁ ଛାତିଟା ମୋହର
କୁଣ୍ଢେ ମୋଟ ହୋଇ ଯାଏ।
ପୁତ୍ ନର୍କରୁ ଉଦ୍ଧାର ପାଇଁ
ପୁଅ ପାଇଁ ଆଶା ଥାଏ,
ତା ଓଠରୁ ବାବା, ମାଆ ଶୁଣିଦେଲେ
ଜନମ ସାର୍ଥକ ହୁଏ।
ତା ଓଠରେ ହସ,ସୁଖ,ଖୁସି ପାଇଁ
ଦୁହେଁ ଜଳିଜଳି ଯାଉ,
ରକତକୁ ପାଣି କରି,ଭୋକ ଭୁଲି
ଭବିଷ୍ୟତ ଗଢିଥାଉ।
ସତ୍ ଶିକ୍ଷା, ସତ୍ ଆଦର୍ଶ ନିମିତ୍ତ
ବିଦ୍ୟା ଅଧ୍ୟୟନ ପାଇଁ,
ନିତିଶିକ୍ଷା,ଜ୍ଞାନ ଆହରଣ ଲାଗି
ବିଦ୍ୟାଳୟ ଯାଏ ନେଇ।
ବଡ଼ ମଣିଷଟେ ନହେଲେ ନହେଉ
ଭଲ ମଣିଷଟେ ପାଇଁ,
ମାଆ ତାର ନିତି ମଥା କୋଡି ଡାକେ
ଆହେ ଜଗତର ସାଇଁ।
ନିସ୍ଵାର୍ଥ ଚିତ୍ତରେ ସରଳ ମନରେ
କରଇ ସୁଯୋଗ୍ୟ ସୂତ,
ଉତ୍ତରାଧିକାରୀ ଆଶାରେ କରାଏ
ହାତକୁ ତା ଦୁଇହାତ।
ବଡ଼ ହୋଇଯାଏ ଜ୍ଞାନୀ ବନିଯାଏ
ଆପେ ସେ ଚଉଦ ପା,
ବୁଢା ବୁଢ଼ୀ ଭଳି ଶବ୍ଦରେ ବୋଲାଏ
ଭୁଲିଯାଏ ମାଆ ବାପା।
ପବିତ୍ର ଡାକକୁ ଅପବିତ୍ର କରେ
ଦେବାଦେବୀ ଅସମ୍ମାନ,
କଟୁବାକ୍ୟ ସବୁ ଅସହିଷ୍ଣୁ ହୁଏ
ମାଆ ଛାଡି ଦିଏ ପ୍ରାଣ।
ଏକାଏକା ବାପା ବୃଦ୍ଧ ବୟସରେ
ପୁଅର କାନ୍ଧେ ଆସରା,
ସେହି ପୁଅ ଭୁଲେ ଦିନେ ବାପା ତା'ର
କାନ୍ଧେ ବୁଲାଉଥିଲା ପରା।
ବୃଦ୍ଧବେଳେ ନାହିଁ ପ୍ରୟୋଜନ ଆଉ
ବୃଦ୍ଧ ପିତା ଯେ ତାହାର,
ଭାରିଜାକୁ ସୁଖେ ରଖିବାକୁ ପୁଅ
ଘରୁ କରିଲା ବାହାର।
ନାନା ପ୍ରଲୋଭନେ ମନ ମୋହି ପୁଅ
କରି ନିଜଠୁ ଅନ୍ତର,
ସେବା ବଦଳରେ ଶକ୍ତ ଧକ୍କା ଦେଇ
ବୃଦ୍ଧାଶ୍ରମ ଉପହାର।
ସୁବିଧା ସୁଯୋଗ ସୁଖ ଖୁସି ବାପା
ଏଇଠି ରହି ପାଇବ,
ଆମ ପାଖେ ରହି କିଆଁ ଯେ ଆମକୁ
ଦହଗଞ୍ଜ ତ କରିବ।
ଆସିବି ନିଶ୍ଚୟ କିଛି ଦିନ ଅନ୍ତେ
ଦେଖିଯିବି ତ ତୁମକୁ,
ଶାନ୍ତିରେ ଖାଇ,ଶାନ୍ତିରେ ରୁହ
ଟିକେ ଶାନ୍ତି ଦିଅ ଆମକୁ।