ତୋର ମୋର ଭାବ
ତୋର ମୋର ଭାବ
ଯେଉଁ ଦିନଠାରୁ ଚିନ୍ତନରେ ମୋର
ଗଢିଛି ତୋ ପାଇଁ ଘର
ସେବେ ସେଇଦିନୁ ମନ ହୃଦ ପ୍ରାଣ
ଦେଲିଣି ମୁଁ ଉପହାର..!
ସୁଖ ଦୁଃଖ ଭଲ ମନ୍ଦ ଜରାବ୍ୟାଧି
ଭୋଗ ଯୋଗ ଆଉ ଯେତେ
ସଂସାର ଜଞ୍ଜାଳ ସାତପର କଲି
ଫିଙ୍ଗିଦେଇ ମୋର ଚିତ୍ତେ..!
ତଥାପି କାହିଁକି ପ୍ରତିକ୍ଷଣ ଲାଗେ
ଏଇ ଅଛ ଏଇ ନାହିଁ
ଧରିବାକୁ ଯାଏ ନିବିଡ଼ ବନ୍ଧନେ
ପାରେନାହିଁ କିନ୍ତୁ ଛୁଇଁ..!
ଭାବନାରେ ଯଦି ପାରନ୍ତି ମୁଁ ଛୁଇଁ
ହୃଦୟ କନ୍ଦର ତୁମ
ବିରହ ଜ୍ଜଳନେ ଜଳନ୍ତା କି ନିତି
ନିଉଛୁଣା ମୋର ପ୍ରେମ..!?
ପଢିପାର ବୋଲି ସବୁ ଲୁହ ଭାଷା
ଲୁଚେଇ ରଖୁନି ଆଖି
କାହିଁକି ପ୍ରଭୁ ହେ' ଅଣଦେଖା କର
କହିଦିଅ ଚକାଆଖି..!?
ହଟିଆ ମନର ଗହନ ରହସ୍ୟ
ଲୁଚେଇ ରଖୁଛ ହରି
ଆପଣାର ବୋଲି ଭାବୁନାହଁ ଯଦି
ନିଜ ହାତେ ଦିଅ ମାରି..!
ତୁମ ହାତେ ପ୍ରଭୁ ମରିଗଲେ ଯିବି
ପୂଣ୍ୟ ବଇକୁଣ୍ଠ ଧାମ
ତୁମ ଶ୍ରୀଚରଣେ ସେବା କରୁଥିବି
ଅତୁଟ ରଖି ମୋ ପ୍ରେମ..!