ମହାପ୍ରଭୁ
ମହାପ୍ରଭୁ
ସକଳ ଶକ୍ତିର ଆଧାର ତୁମେଯେ
ନୀଳାଚଳ ଅଧିପତି
ବଡ ଦେଉଳରେ ରତ୍ନସିଂହାସନେ
ଆସୀନ ଜଗତ ପତି।
ପତିତ ପାବନ ଫରଫର ଉଡେ
ନୀଳଚକର ଉପରେ
ମହୋଦଧି କୁଳୁ ସ୍ନିଗ୍ଧ ସମୀର
ବହିଆସେ ଧୀରେ ଧୀରେ।
ଶ୍ରୀମନ୍ଦିର ମଧ୍ୟେ ବାସ କରିଛନ୍ତି
ତେତ୍ରିଶ କୋଟି ଦେବତା
ସମସ୍ତଙ୍କ ଅଧୀଶ୍ବର ଜଗଦୀଶ
ଦେବ ତୁମେ ଅଧିଷ୍ଠାତା।
ଚଉଦ ବ୍ରହ୍ମାଣ୍ଡ ଅଧୀନ ତୁମର
ତୁମରି ଶରୀରୁ ଜାତ
ସୂର୍ଯ୍ୟ,ଚନ୍ଦ୍ର,ତାରା ତୁମରି ଆଜ୍ଞାରେ
ହୋଇଥାନ୍ତି ଆତଯାତ।
ବଡସିଂହାର ବେଶରେ ଅପରୂପ
ଠାଣି ଅପୂର୍ବ ତୁମର
ଆଖିରହେ ଲାଖି କଳା ଶ୍ରୀମୁଖକୁ
ଦେଖିଲେ ରଙ୍ଗା ଅଧର।
ଜଗତ ପତିଙ୍କୁ ଜ୍ବର ହୁଏ ପୁଣି
ଏକି ଚମତ୍କାର କଥା
ଶହେ ଆଠ ଗରା ପାଣିରେ ଗାଧୋଇ
ହୁଅନ୍ତି କେତେ ହିନସ୍ତା।
ବଇଦ ରାଜଙ୍କ ମୋଦକ ସେବନ
କରି ହୋଇଥାନ୍ତି ସୁସ୍ଥ
ଶରୀର ମଜରା ଦୂରହୋଇ ଯାଏ
ଉଠନ୍ତି ଜଗତନାଥ।
ଅଗଣିତ ଜନ ରୁଣ୍ଡ ଯେ ହୁଅନ୍ତି
ବଡଦେଉଳ ଭିତରେ
ନବଯଉବନ ରୂପ ଦର୍ଶନରେ
ଆତ୍ମା ଭରେ ହରଷରେ।
ପରଦିନ ଜଗା ପହଣ୍ଡି ବିଜୟ
କରି ଚଢନ୍ତି ରଥରେ
ଜ୍ୟେଷ୍ଠ ଭ୍ରାତା ଆଉ ଭଗିନୀ ସଙ୍ଗତେ
ଯାଆନ୍ତି ମାଉସୀ ଘରେ।
ଘର୍ଘର ନାଦରେ ବଡଦାଣ୍ଡ ପରେ
ଗଡିଯା'ନ୍ତି ତିନି ରଥ
ତାଳଧ୍ଵଜ,ଦର୍ପଦଳନ ପଛରେ
ନନ୍ଦିଘୋଷେ ଜଗନ୍ନାଥ।
ଜଗତ ପ୍ରସିଦ୍ଧ ରଥଯାତ୍ରା ଏ ଯେ
ସମଗ୍ର ବିଶ୍ବରେ ବ୍ୟାପ୍ତ
ଭକତ ଗଣଙ୍କୁ ଦର୍ଶନ ଦିଅନ୍ତି
ରଥାରୁଢ ଜଗନ୍ନାଥ।
ଯେ ଯେଉଁଠି ଥାନ୍ତି ଏ ଅପୂର୍ବ ଦୃଶ୍ୟ
ଦେଖିବାର ଇଚ୍ଛା ନେଇ
ଶ୍ରୀକ୍ଷେତ୍ର ଗମନ କରି ମନବାଞ୍ଛା
ପୂରଣ କରନ୍ତି ଯାଇ।
ହେ ଚକାନୟନ ବିପଦଭଞ୍ଜନ
କୃପାବାରି ଦିଅ ଢାଳି
ଭକତଗଣଙ୍କୁ ଛତ୍ରଛାୟା ଦିଅ
ସଙ୍କଟଙ୍କୁ ଦିଅ ଟାଳି।