ଭାଙ୍ଗିଗଲା ସୁନାବସା
ଭାଙ୍ଗିଗଲା ସୁନାବସା
ସ୍ଵପ୍ନ ହଜିଗଲା ମନ ମରିଗଲା
ଭାଙ୍ଗିଗଲା ସୁନା ବସା ,
ସାତ ଜନମର ସାଥୀ ହେଲା ପର
ମଉଳିଗଲା ମୋ'ଆଶା ।
ଅଦିନିଆଁ ଝଡ ଭାଙ୍ଗିଦେଲା ନୀଡ
ନାହିଁମୋର ଥଳକୂଳ ,
ଭାଗ୍ୟକୁ ଆଦରି ଯାଉଚିମୁଁ' ଚାଲି
ସଙ୍ଗତେ ଶିଶୁଚପଳ ।
ମହଲର ଚାବି ଦେଉଚି ଫେରାଇ
ଲୋଡା ନାହିଁ ମୋର କିଛି ,
ସମ୍ପର୍କରେ ଫାଟ କଲାକେ' ଉଦ୍ରେକ
ବୁଝି ପାରୁନି ମୁଁ'କିଛି ।
ମୋ ଭଲ ପାଇବାର ଏଇ ପୁରସ୍କାର
ଦେଲ ମୋତେ ଛାଡପତ୍ର ,
ସନ୍ଦେହ ସନ୍ଦେଶ କଲାକି ବିବଶ
ଖୋଲି କୁହ କେତେ ସତ ।
ସ୍ନେହ ଆଶିଷର ରତ୍ନମୁଦି ନିଅ
ଧରିଛି ଖୋଲି ହସ୍ତରେ ,
ସମ୍ପର୍କର ଡୋରି ଦେଲ ଛିନ୍ନକରି
ଚାଲି ଯିବି ବହୁଦୂରେ ।
ତୁମ ମୁଦି ନିଅ ମୋର ମୁଦି ଦିଅ
କହୁଚି ମୁଁ ଉଚ୍ଚସ୍ଵରେ ,
ସମ୍ପର୍କ ଯେଉଁଠି ତିଷ୍ଠି ପାରିଲାନି
ସ୍ନେହପୂର୍ଣ୍ଣ ପ୍ରୀତିଘରେ ।
ଭରଣ ପୋଷଣ ନାହିଁ ପ୍ରୟୋଜନ
ନାହିଁମୋର ଲୋଭମାୟା ,
ଭାଗବଣ୍ଟା ଧନ ଚାହେଁନି ଏ'ମନ
ସଂପୂର୍ଣ୍ଣ ଭିନ୍ନ ମୋ କାୟା ।
ମହଲଲେ ପ୍ରାଚୀର ନୁହେଁ ଶୁଭଙ୍କର
କନ୍ଦଳରେ ଜଳେଗୃହ ,
ଦୁଇଟି ଆତ୍ମାର ମାନ ଅଭିମାନ
ବେନିନେତ୍ରେ ଆଣେଲୁହ ।
ଏ'ଛବିର ସନ୍ଦେଶ ଅନୁଶୋଚନାର
ଦମ୍ପତି ଦୁଃଖଦ କ୍ଳେଶ ,
କଵିଭାବନାରେ ଲେଖନୀ ପୃଷ୍ଠାରେ
ଆତ୍ମାକରେ ପାରିତୋଷ ।
ସମାଜିକ ବାର୍ତ୍ତା ଦେଉଚି ସହସା
ହେ'ପ୍ରିୟ ପାଠକ ଗଣ ,
ଅର୍ଦ୍ଧାଙ୍ଗିନୀ ହସ୍ତ ଛାଡିବନି ସତ
ରହିଲା ତୁମକୁ ରାଣ ।