ସହରୀ ପୁଅ
ସହରୀ ପୁଅ
ତନିଟା ବରଷ ସହରେ କାଟିକି
ଫେରିଲା ପୁଅ ଗାଆଁକୁ
ଖରାଦିନେ କଷ୍ଟ ହେବ ବୋଲି ସିଏ
ଚାହିଁଥିଲା ବରଷାକୁ ।
କାଦୁଅ ପାଣିରେ ଗାଆଁ ଭରିଥିବ
ପିଲା ନପାରିବେ ଚଳି
ସେଥିପାଇଁ ସିଏ ଆସିଅଛି ଏକା
ବାଧ୍ୟ ବାଧକରେ ପଡି ।
ବୋଉ ଦେହ ଭଲ ରହୁନାହିଁ ଆଉ
ବାପା ବି ହେଲେଣି ବୁଢା
ଭାଇ ଭଉଣୀଏ ଦେଖନ୍ତି ଭାଇକୁ
ଚାରି ହାତେ ହୋଇ ଛିଡା ।
ଗଲାବେଳେ ଏଠୁ ଲାଗୁଥିଲା କେତେ
ଆପଣାର ଆପଣାର
ଏବେ ଦେଖି ଲାଗେ ପରଦେଶୀ କିଏ
ବୁଲି ଆସିଅଛି ଘର ।
ବୋଉ ହାତରନ୍ଧା ପଖାଳ ଶୁଖୁଆ
ପାଟିକୁ ରୁଚୁନି ଆଉ
ସହରୀ ଖାଇବା ଥାଳିରେ କେବେ ତ
ପରଷା ଯାଏନି ‘ଯାଉ’ !
ଫୁଲ୍ ପ୍ୟାଣ୍ଟ୍ ସାର୍ଟରେ ଭାଙ୍ଗ ପଡିଯିବ
ନାହିଁ ତ ଏଠି କମୋଡ
ହଗା ମୁତା ପାଇଁ କୁଆଡେ ଯିବ ସେ
ସବୁଠାରୁ ଚିନ୍ତା ବଡ ।
କୂଅ ପାଣି ପିଆ ଦେହରେ ଯିବନି
ରହିଛି ଜୀବାଣୁ ଭରି
ସେଥିପାଇଁ ପତ୍ନୀ ଦେଇଅଛି ସଙ୍ଗେ
‘ଆକ୍ୱାଗାର୍ଡ’ ପାଣି ଭରି ।
ଚିରାଫଟା ଲୁଗା ଭିତରୁ ବୟସ
ଦିଶିଯାଏ ଜଳ ଜଳ
ବାପା ବୋଉଙ୍କର ଏ ବେଶ ପୋଷାକ
ପୁଅକୁ ଲାଗୁନି ଭଲ ।
“ତିନି ବର୍ଷ ପରେ ଆସିଲୁ ଯେବେ ରେ
ଏତେ ଶୀଘ୍ର କାହିଁ ଯାଉ
ମନ ପୂରେଇକି ଦେଖିନାହିଁ ତତେ
ଦି’ ଦିନ କାହିଁ ନ ରହୁ ?”
ବୋଉର ଆଖିରୁ ଲୁହ ନୁହେଁ ଲହୁ
ଝରିଲେ ବି ଚିନ୍ତା ନାହିଁ
ଏସବୁ ଦେଖିବା ପାଇଁକି ପୁଅର
ପାଖେ ବେଳ ଅବା କାହିଁ !
“ଦୁଇ ଚାରି ଦିନ ରହିଥାନ୍ତୁ ପୁଅ,
ହେଇଥାନ୍ତେ ଦୁଃଖସୁଖ
ମୋ ବୁଢା ହାଡରେ ନାହିଁ ଆଉ ବଳ
ସମ୍ଭାଳିବାକୁ ଏ ବୋଝ !
ନିଅନ୍ତୁ ଯଦି ତୋ’ ଭାଇଭଉଣୀଙ୍କୁ
ରଖନ୍ତୁ ନେଇ ତୋ’ ପାଖେ
ତୋ’ ପରି ସାଇବ ହୋଇଯାଆନ୍ତେ ରେ
ଦିନ କଟିଯାନ୍ତା ସୁଖେ ।
ଇଂରାଜୀ ଅକ୍ଷର ଲେଖି ପଢି ଶିଖି
ଯାଆନ୍ତେ ଯଦିରେ ଥରେ
ମୋ ପରି ନିଜକୁ ସଢାନ୍ତେନି ଆଉ
କାଦୁଅ ପାଣି ଭିତରେ !”
“ସହର ଜୀବନ ବଡ ଭୟଙ୍କର
ପାରିବନି ତୁମେ ଚଳି
ଗାଆଁର ଜୀବନ ବଡ ସୁଖମୟ
ଛାଡିବା କଥା ଭାବନି ।
ଟଙ୍କା ପଠେଇବି ଏ ମାସୁ ଅଧିକା
ବଢିଛି ବୋଲି ଦରମା
ବାରମ୍ୱାର କିନ୍ତୁ ଆସି ନପାରିବି
ସମୟ ମିଳୁନି ଜମା ।
ଚାଷ ଠାରୁ ସୁଖ ନାହିଁ କିଛି ଆଉ
ନିଜ ହାତେ ତୁମେ ରଜା
ଆମେ ଖାଲି ସିନା ସାଇବ ନାମକୁ
ଅସଲରେ ତୁମ ପ୍ରଜା ।“
ଗାଡି ଚଢି ପୁଅ ଆସିଥିଲା ବୁଲି
ଫେରିଲା ଧୂଳି ଉଡେଇ
ସେ ଧୂଳିରେ ଘର ଧୂସରିତ ଦିଶେ
ମେଲିଯାଏ ବଡ ଖାଇ !
ଟଙ୍କାର ବିଡାଟା ହାତରେ ଥରୁଛି
କୋହେ ଛାତି ଯାଏ ଫାଟି
ସ୍ନେହ ମମତାର ଦୁର୍ବଳ ବନ୍ଧନ
ଆଜି ଠାରୁ ଗଲା ଫିଟି ।
ସହିବାର ଦୁଃଖ ନହେଲେ ବି ଆଜି
ସହିବାକୁ ହେବ ସବୁ
ଯାହା ପାଇଁ ଦୁଃଖ ଜମାଟ ବାନ୍ଧୁଛି
ସିଏ ପରା ତାଙ୍କ ‘ବାବୁ’ !