କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (କ)
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ (କ)
ରାଗ – ସାବେରୀ
କି ହେଲାରେ, କହି ତ ନୁହଁଇ ଭାରତୀରେ
କାଲି ଯା ଦୂରରୁ ଦେଖି କଳନା କଲା ମୋ ଆଖି
କଳା ଇନ୍ଦୀବର ଆରତିରେ (ପଦ)
କେଳି କଦମ୍ବ ଲତାର କୋଳେ କି ଶ୍ୟାମଳତାର,
ତେଜ ସେ ରବିସୂତାର ତୀରେ,
କମ୍ପି ମୋର କଳେବର, ହୋଇଗଲା ଆପଣାର,
ଯାହାକୁ ଡରଇ ତାର ତୀରେ (1)
କୁସୁମ କୋଦଣ୍ଡ କାଣ୍ଡ କେତେ କରିଥିଲା ରୁଣ୍ଡ
କର୍କଶ ନୋହିବା ଭାରତିରେ,
କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା,
ମଜ୍ଜିଯିବି କି ଉଭା-ରତିରେ (2)
କି ମୋହନ ଲୀଳା ଧରି କୋଟି କଳାକର ଶିରୀ,
ପୂରିଛି ସେ ଶ୍ୟାମ ମୂରତିରେ,
କୁତ୍ସା କରେ ମୁଁ ଧାତାକୁ କାହିଁକି ସରଜି ତାକୁ
ଚିରାୟୁ ରଖିଲା ଜରତୀରେ (3)
କି ନୀତି କି ଜାତିଶୀଳ, କି କୁଳ ବରତ ଫଳ
ଠଉରି ପାରିଲା ମୋ ମତିରେ ?
କୋମଳତର ମୋହନ କୁଞ୍ଜକୁକ୍ଷିରୁ ନିଃସ୍ୱନ
ଆସି ଚୁମ୍ବିଦେଲା ମୋ ଶ୍ରୁତିରେ (4)
କଲବଲ ଛଟପଟ ହୋଇଯାଉଛି ନିପଟ
ସଂବେଶ-ଅଶନ-ବିରତିରେ,
କହଇ ଶ୍ରୀ ବାଲୁକେଶ, ଶରଣ ଧରଣୀ ଈଶ,
ଏ କି ଦଣ୍ଡ ବିନା ପୀରତିରେ (5)