ବିବାହ ବନ୍ଧନ
ବିବାହ ବନ୍ଧନ
ସଂସାରର ରାଜରାସ୍ତାରେ ବାଟ ଚାଲୁଚାଲୁ
ହାତରେ ହାତ ଛନ୍ଦି
ମନରେ ମନ ଖୁନ୍ଦି
ଆତ୍ମାରେ ଆତ୍ମା ବାନ୍ଧିବାକୁ
ସ୍ୱାଗତ କରେ ବିବାହ ବନ୍ଧନ
ରଚିବାକୁ ପ୍ରେମ ଇତିହାସ
ପ୍ରୀତିର ତାଜମହଲରେ ସାନନ୍ଦେ ହଜିଯାନ୍ତି ଭୁଲିଯାଆନ୍ତି
ଅତୀତର ମୁହୂର୍ତ୍ତମାନ
କଳ୍ପନାର ବାୟାବସାରେ ସଞ୍ଚିଥାନ୍ତି ଆଶା
ବାହିବାକୁ ପ୍ରାଣୟର ତରୀ
ନବ ପଲ୍ଲବିତ ପ୍ରଫୁଲ୍ଲତାର ହଲଚଲ ପାରାବାରେ ।
ପିନ୍ଧି ଶୁଭ ରାଜକୀୟ ପୋଷାକ
ସଜାଇ ହୋଇ ନାନାଦି ଅଳଙ୍କାର
ସାଜନ୍ତି ସେଦିନ ବର ଆଉ ବୋଉ
ହାତଗଣ୍ଠି, କଉଡ଼ି ଖେଳ କେତେ ଅଭିନବ କୌତୁକ
ସାତକଳସ... ଆଠଦୀପ
ଅଗ୍ନିକୁ ରଖିସାକ୍ଷୀ ବର ଟାଣେ ବୋହୁ ମଥାରେ
ଭରସାର ନାଲି ବିଷୁବରେଖା
ବିଶ୍ୱାସର ଶ୍ରୀମନ୍ଦିର ପାହାଚରେ ବସି କରେ ବଜ୍ର ଶପଥ
ଆରୋହଣ କରିବ ଦୁଃଖ ଯନ୍ତ୍ରଣାର ଏଭାରେଷ୍ଟ
ରଖିବ ରାଣୀକରି କରି ଦଶ ଦୋଷ କ୍ଷମା
ଅର୍ପଣ କରିବ ସୁଖର ତୋଫା ଜୋଛନା।
ଏ ବନ୍ଧନ ସମ୍ପର୍କର ଅବିଚ୍ଛିନ୍ନ ସେତୁ
ଭବିଷ୍ୟ ନାଗରିକର ଏନ୍ତୁଡ଼ିଶାଳା
ବାଟ ଚାଲୁଚାଲୁ ପାଳିବାକୁ ହୁଏ
ସଂସ୍କାର ଶୃଙ୍ଖଳା ନିୟମର କେଇଟା ସୂତ୍ର
ଯେ ଖୋଲେ ହସର ଚାବି
ପାଏ ସେ ପ୍ରଶଂସା
ଯେ ଥକ୍କିଯାଏ
ଉପହାସ କରେ ସେ କଉଡ଼ି ଖେଳ
ଧକ୍କାମାରେ ସେ ହାତଗଣ୍ଠି
ଆଉ ଅଭିନୟ କରେ ମିଛ ସିନ୍ଦୁରର
ବିଶ୍ୱାସ ଭରସା ଗୁଡାକ କଇଁ କଇଁ କାନ୍ଦି
ଭୋଗୁଥାନ୍ତି ବାର୍ଦ୍ଧକ୍ୟ ଯନ୍ତ୍ରଣା
ଶକ୍ତ ହେଲେ କରିବେ ଆନନ୍ଦ ନୃତ୍ୟ
ଛିନ୍ନ ହେଲେ ଶୁଣିବେ ଶ୍ମଶାନ ପାଖର ରୋଦନ
ଏଇ ବିଚିତ୍ର ବନ୍ଧନର ଜଟିଳ ନକ୍ସାରେ।