ହାଏ ରେ ଜୀବନ
ହାଏ ରେ ଜୀବନ
ଏନ୍ତୁଡି ଶାଳ ରୁ ଯୁଇ ନିଆଁ ଯାଏଁ
ଜୀବନ ର ପଥ କୋଳାହଳ ,
ମଣିଷ ଲଢୁଛି ନିଜ ସାଥେ ନିଜେ
ଖୋଜି ସୁ-ଶୀତଳ ଶାନ୍ତି କୋଳ ।
ଦି ଦିନ ଜୀବନ କେତେ ରାସ ରଚେ
ଆପଣାକୁ କରି ସାତ ପର,
ସ୍ମୃତି ଝାଉଁ ବଣେ ଅଣ୍ଡାଳି ଖୁସି କୁ
ମରୁ ବାଲି ପରେ ତୋଳେ ଘର ।
ବେଳାଭୂମି ଛାତି କେତେ ଯେ ସହୁଛି
ଦୁଃଖ ଯନ୍ତ୍ରଣା ର ଢେଉ ମାଡ,
କେବେ ହସ ଭରା ତାରା ଫୁଲ ତୋଳେ
କେବେ ଶ୍ରାବଣ ର ଲୁହ ଝଡ ।
ହାଏ ରେ ଜୀବନ କେତେ ତୁ ନଚାଉ
ଦେଇ ସ୍ୱାର୍ଥ ବିଷ ହଳାହଳ ,
ଆଖିରେ ପିନ୍ଧେଇ ସ୍ୱପ୍ନ ର ମୁଖା ଟି
ବଶୀଭୂତ କରୁ ସକଳ ।
ଦିକି ଦିକି ଜଳୁ ଦୀପ ଶିଖା ସମ
କେବେ ଛାଇ-ଆଲୁଅ ର ଖେଳ,
କେବେ ମହମହ ଫଗୁଣ ଚଇତି
କେବେ ନିଦାଘ ର ରିକ୍ତ କୋଳ ।
ଏଇ ଉଜ୍ଜଳ କୁ କ୍ଷଣିକେ ଅନ୍ଧାର
ଧୂମାଭ ହାଟ ର ଠିକଣା ,
ସବୁ ଘାଟ ପାଣି ପିଏ ଏ ମଣିଷ
ବାଟ ଯେବେ ତାକୁ ଅଜଣା ।
ଏଇ ତିକ୍ତ ଖରା ଏଇ ଶିକ୍ତ ଛାୟା
ଏଇ ସଞ୍ଜ ଏଇ ସକାଳ ,
ଏଇ ଦୁଃଖ ସୁଖ ହସ କାନ୍ଦ ଭରା
କ୍ଳେଶ ଜର୍ଜରିତ ଜଞ୍ଜାଳ ।
ମାନ -ଅଭିମାନ-ଘୃଣା-ସନମାନ
ନାନା ରଙ୍ଗେ ସଙ୍ଗେ ହୁଏ ଠୁଳ
ତିକ୍ତ ଶିକ୍ତ ରିକ୍ତ ଅନୁଭୂତି ନେଇ,
ସାଉଣ୍ଟେ ପଣତେ ହୋଇ ବିହ୍ଵଳ ।
ଋତୁ ବଦଳିଲେ ବଦଳେ ପ୍ରକୃତି
ବଦଳେ ତା ଦେହ ରୂପ ରଙ୍ଗ
ସେ ଭାବେ ବିଚାର ବାଟ ହୁଡି ଗଲେ
ବଦଳନ୍ତି ଭଲ-ମନ୍ଦ ସଙ୍ଗ ।
ଚୋରା ବାଲି ପ୍ରେମ ମିଛ ଅଭିନୟ
ସତ ଚିତ୍ ଆତ୍ମା ଅମର,
ତଥାପି ବିଷୟା ରସେ ବୁଡି ରହି
ଜୀବନ ଗଢୁଛି ସଂସାର ।
ଅବୁଝା ମଣିଷ ବୁଝେନା ତୋ ମାୟା
ମାଟି ଦେହ ବୋଲେ ସର୍ବସ୍ଵ ,
ପଞ୍ଚ ଭୁତେ ଗଢା ଶରୀର ଅନ୍ତରେ
ଲୁଚି ଅଛି ଗୂଢ ରହସ୍ୟ ।
ସେ ରହସ୍ୟ ଉନ୍ମୋଚିତ ହେବ ଯେବେ
ହୃଦୟେ ବସିବେ ଶ୍ରୀହରି,
ସେବେଳେ ଜୀବନ ମଧୂର କଣ୍ଠରେ
ବାଜିବ ଅଫୁଟା ବାଁଶୁରୀ ।