ନିଷ୍କଣ୍ଟକ ଛତ୍ରପତି
ନିଷ୍କଣ୍ଟକ ଛତ୍ରପତି
ଭବ ରଙ୍ଗମଞ୍ଚ ପ୍ରାଙ୍ଗଣେ ପ୍ରପଞ୍ଚ
ଉତ୍ଥାନ ପତ୍ତନ ଖେଳ
ଅତୀବ ବିଚିତ୍ର ରଙ୍ଗେ ଶତ୍ରୁମିତ୍ର
ଯୁଝିବାକୁ ସଦା ମେଳ ।
ଏ ମଞ୍ଚେ ସାଧକ ସମ୍ମୁଖେ ବାଧକ
ପ୍ରତି ପାଦେ ହୋଇ ଛିଡା
ପାଏ ଅବସର ପଥେ ଅଗ୍ରସର
ଜନଙ୍କୁ ଦେବାକୁ ପୀଡା ।
ଶତ୍ରୁଙ୍କ ପ୍ରହାରେ ଜିତୁ ଜିତୁ ହାରେ
କିଏ ହୋଇ ଦହଗଞ୍ଜ
ଦେଖୁଥାଏ ନେତ୍ର ଜୀବନର କ୍ଷେତ୍ର
ଯେହ୍ନେ ଏକ ଶତରଞ୍ଜ ।
କେତେକ ଅବୋଧ ପଥେ ଅବରୋଧ
ଖଞ୍ଜି ଦେଇଥାନ୍ତି ସିନା
ତଥାପି ବିକ୍ରମ କରେ ଅତିକ୍ରମ
ଦମ୍ଭେ ପଛଘୁଞ୍ଚା ବିନା ।
ହୁଅନ୍ତେ ଅରାତି ମନ୍ତ୍ରୀ ସୈନ୍ୟ ହାତୀ
କି ଅବା କୁଶଳୀ ଘୋଡ଼ା
ସଂଘର୍ଷେ ଗମନ କରନ୍ତେ ଦମନ
ଦର୍ପ ତ ନିତାନ୍ତ ଲୋଡ଼ା ।
ଯୁଦ୍ଧେ ଗଲେ ଜିତି ରଖେନାହିଁ ଭୀତି
ନିଷ୍କଣ୍ଟକ ଛତ୍ରପତି
ବିଜୟର ଟୀକା ଦିଏ ମହାଶିକ୍ଷା
ବୃଦ୍ଧି ହୁଏ ପ୍ରତିପତ୍ତି ।
କୌଶଳ ନଥିଲେ ବିଜୟ କି ମିଳେ
ଜୀବନ ଯୁଦ୍ଧରେ କାହୁଁ
ସମସ୍ୟା ବିଭ୍ରାଟ ସମାଧାନେ ବାଟ
ଫିଟିଯାଏ ଚାହୁଁ ଚାହୁଁ ।