ନିଦାଘ
ନିଦାଘ
ଋତୁଚକ୍ରରେ ନିଦାଘ ଆସେ
ଝାଞ୍ଜି ପ୍ରବାହ ନେଇ
ସୂର୍ଯ୍ୟ କିରଣ ଲାଗେ
ସତେ ଯେମିତି ଏଇକ୍ଷଣି
ଦେବ ସବୁ ଜାଳିପୋଡି...
ବାଷ୍ପୀଭୂତ ହୁଏ ଜଳ
ଧରଣୀ କୋଳରୁ
ପୁନର୍ବାର ଫେରିବାକୁ
ଜନନୀ କୋଳକୁ
ଉପଶମ ଦେବ ଗର୍ଭ ଜ୍ଵାଳାକୁ ।
ଏଇ ନିଦାଘ ରଚିଥାଏ
ବର୍ଷା ବାଦଲ ଓ ଆଶାର ବୈତରଣୀ
ଜାଳିବାରେ ମଜା ପାଏ
ପୁଣି ଫେରାଇ ଆନନ୍ଦ
ସୁପ୍ତ ଜୀବ ସତ୍ତା ପାଏ ଆହ୍ବାନ
ମୁଣ୍ଡ ଟେକିବାକୁ ପରସ୍ତ
ପରସ୍ତ କରି ମାଟି ତଳୁ
ନିଦାଘ ନିଏ ଦିଏ
ଜୀବନର ଦ୍ଵନ୍ଦ ।
ଜୀବନରେ ମାଡିଆସି ଅଚାନକ
ନିଦାଘ ଭାଙ୍ଗିଦିଏ ମେରୁଦଣ୍ଡ
ଜାଳିଦିଏ ହୃଦୟର
ସବୁଜ ଉପତ୍ୟକା
ଛାଡିଯାଏ କିଛି ପଦଚିହ୍ନ
ଭାବିବାକୁ ରହି ରହି
ସୁଖଦ ସମୟକୁ
କାନ୍ଦିବାକୁ କେବେ ଦରଜା ଆଉଜି
ତ କେବେ ନୀରବେ ଏ ମନ।
ନିଦାଘ ତୁମେ ସ୦ସାରର ନିୟମ
କପାଳେ ଲେଖା କରମ
ତୁମେ ଆସିବ ଜାଣିଛି
ନିବେଦନ କରୁଛି
କରିଦେବ ମତେ ଅଦେହୀ
କରି ପଞ୍ଚଭୂତରେ ବିଲୀନ ।।।
ପଦ୍ମାଳୟା ମିଶ୍ର