ଆସ ଯିବା
ଆସ ଯିବା
ଅନ୍ଧାର ଛୁଇଁଛି ତୁମକୁ ବୋଲି
ଫାଶୀ ଖୁଂଟେ ଝୁଲୁଛି,
ଜହ୍ନ ଦେଖି ହସିଛି
ତେଣୁ ଅମାବାସ୍ୟାରେ
ଆକାଶ ତା' ପାଇଁ ବନ୍ଦ |
ତାରାମାନେ ମିଟିକା ମାରନ୍ତି ବୋଲି
ସେମାନେ ନିଷ୍ପ୍ରଭ |
ବସନ୍ତ ଛୁଇଁଛି ବୋଲି
ଆୟୁଷ ତାର ଦୁଇ ମାସ,
ମୁଁ ଦେଖି ହସିଥିଲି
ସେଥିପାଇଁ ପାଇଛି ନିର୍ବାସନ ଦଣ୍ଡ |
ତୁମେ କ’ଣ ଭାବୁଛ
ମୁଁ ନେଇଯାଇଛି ବାନପ୍ରସ୍ଥ ?
ଅନାଇଛି ତୁମ ପଥ
ତୁମେ ଆସ
ମୋ ସାଙ୍ଗରେ ଯାତ୍ରୀ ହେବ,
ଦୁହେଁ ମିଶି
ଫୁଲର ପାଖୁଡ଼ାରେ
ଘରଟିଏ କରିବା,
ସାଗରରୁ ମୁକ୍ତା ଖୋଜିବା,
ଜହ୍ନର ଜ୍ୟୋସ୍ନାକୁ ବାନ୍ଧି ଦେଇ
ନଈଟିଏ କରିବା,
ସେ ନଈରେ ଦୁହେଁ ମିଶି
ଜୀବନର ନାଆକୁ ମେଲିବା,
ଆରପାରିର ଠିକଣାରେ
ଦୁହେଁ ପହଂଚିବା |
ଲୁହ ସବୁ ମୁକ୍ତା ସେଠି
ହସ ସବୁ ଫୁଲ,
ଘୃଣା ସବୁ ବରଫ ପାଲଟିଛି
ପ୍ରେମ ଝରେ ନିରନ୍ତର,
ଜୀବନର ବନ୍ଦନ ହୁଏ
ମୃତ୍ୟୁର ନଥାଏ ବନ୍ଧନ,
ମୁଁ ଅପେକ୍ଷା କରିଛି
ଦୁହେଁ ମିଶି ପ୍ରେମର ମନ୍ତ୍ରରେ
ଜୀବନର କରିବା ଜୟଗାନ |
******************
ଡଃ ଶଶୀ ଭୂଷଣ ମହାପାତ୍ର