ଅନାବନା କବିତା - ୪
ଅନାବନା କବିତା - ୪
ଚଉରାଶି ଯୋନିରୁ
ଚଉରାଶି ନର୍କ ଘୂରି ବୁଲୁଛି
ମୁଁ ବ୍ରହ୍ମ ରାକ୍ଷସ।
ଗାଁର ଶେଷ ମୁଣ୍ଡ
ମଶାଣି ପାଖ ବରଗଛରେ
ଗୋଡ ଲମ୍ବେଇ ଶୁଣୁଛି
ଓସ୍ତ ଗଛର ଛଳ ଛଳ ବିରହ।
ବ୍ରହ୍ମ ରାକ୍ଷସ କଣ ବୈରାଗୀ,
ସେ କଣ ପ୍ରତି ଜନ୍ମରେ
ଲେଖିଥିବା ପ୍ରେମର ଗଜଲ ପଦେ
ପ୍ରତି ନର୍କରେ ଅପୂର୍ଣ୍ଣ ପାପ ପାଇଁ
ଚେଙ୍କା ଖାଇଥିବା ଦୁଃଖରୁ
ପଦେ ପ୍ରେମ ଗୀତ ଗାଇ ପାରିବନି!
କେହି ତା ପାଇଁ କଅଁଳ ମଶାଣି ଭିତରୁ
ଉଠି ଆସିବନି।
ବଡ ବିରକ୍ତ ଲାଗିଲାଣି
ଶାସ୍ତ୍ରାର୍ଥ, ପରମାର୍ଥର ପ୍ରଶ୍ନ
ଯେମିତି ମୋତେ ଦାୟିତ୍ଵ ଦେଇ
କୁଞ୍ଜବନରେ ତାଳ ତମାଳ ସନ୍ଧିରେ
ପ୍ରେମିକା କୋଳରେ
ଶୋଇପଡିଛନ୍ତି ଈଶ୍ଵର!
ମୁଁ ଏତେ ଦୀର୍ଘକାଳ ଯେ
ନଇଁ ପଡି ତୋଳି ପାରିବିନି ଫୁଲ
ଇଏ ଅଧ୍ୟାତ୍ମର କପଟାଚାର,
ଓହୋ, ଗାଁର
ଜହ୍ନ ମୁହାଁ ନାଗରୀମାନେ ଯେବେ
ପୁଚି ଖେଳ ବେଳେ କହନ୍ତି -
ବ୍ରହ୍ମ ରାକ୍ଷସଟା ଚନ୍ଦ୍ରସେଣା
ନହେଲେ ବଣ୍ୟ ଅଜଗର
ସେତିକିବେଳେ ପ୍ରେମର ବାସ୍ନା ଓ
ବିଷଦାନ୍ତ ଝଡି ପଡେ ମୋର।
ମୁଁ ଶେଷ ଯାଏ
ମୃତ ସଂପର୍କମାନଙ୍କ ଅସ୍ତିକୁ
କାନ୍ଧ ଦେଉଥିବା ଶବବାହକ,
ମୁଁ ଶେଷ ଯାଏ
ପ୍ରେତ ଆଉ ଈଶ୍ଵର ମଝିରେ
ଝୁଲୁଥିବା ଲୋକ!!