ହସିବ କୃଷକ ଜାତି
ହସିବ କୃଷକ ଜାତି
କେଏଁ କଟ କଟ ବଳଦ ଗାଡ଼ି,
ପାଚିଲା ଧାନକୁ ଯତନେ ଭିଡ଼ି-
ଚାଲିଛି ଭଗିଆ ଭାଇ ;
କାଳିଆ-କସରା ଦୁହିଁଙ୍କୁ ଘଉଡ଼ି
ଆନନ୍ଦରେ ଗୀତ ଗାଇ ।
ଅକ୍ଷୟ ତୃତୀୟା ତିଥିରେ ପୁଣି,
କ୍ଷେତରେ ସେ ଧାନ ଥିଲାଟି ବୁଣି-
ମନେ ଭରି ନୂଆ ଆଶ ;
ବରଷା ଋତୁରେ ବେଉଷଣ କଲା
ଧାନରୁ ବାଛିଲା ଘାସ ।
ଖତ ସାର ଦେଇଥିଲା ସେ କ୍ଷେତେ,
ଫଳିଗଲା ଧାନ ଯାହାକୁ ଯେତେ-
ସୁନା କେଣ୍ଡା କେରିକେରି ;
ପାଚିଗଲା ପରେ ଆଣୁଅଛି ଏବେ
ହାତେ କାଟି ଦାଆ ଧରି ।
ଚାଷୀଟିଏ ବୋଲି ନାହିଁ ତା' ଦୁଃଖ,
"ପାରୁଛି ମେଣ୍ଟାଇ ଅନ୍ୟର ଭୋକ-
ସବୁରି ସେ ଅନ୍ନଦାତା ;"
ସଭିଙ୍କ ଆଗରେ ହସି ହସି କହେ
ଭଗିଆ ଭାଇ ଏ କଥା ।
କଥାଟି ତାହାର ନିରାଟ ସତ,
ଯୋଗାଉଛି ସିଏ ଆମକୁ ଭାତ-
ମାଟି ସଙ୍ଗେ ହୋଇ ମାଟି ;
ତା' ଉନ୍ନତି ହେଲେ ଦେଶ ଆଗେଇବ
ହସିବ କୃଷକ ଜାତି ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।*