ମିଥ୍ୟା ଅଭିସାର
ମିଥ୍ୟା ଅଭିସାର
ମିଥ୍ୟା ଅଭିସାର
ହେଉ ମିଥ୍ୟା ମରୀଚିକା ଆଗମନ ତବ
ସେହି ମାତ୍ର ଦୀନହୀନ ପ୍ରାଣ ଅଭିନବ ||
ଧୂମାଳ ଆକାଶେ ତବ ଧ୍ଵାନ୍ତ ଧୀର ରୂପ;
ତାମସ ବର୍ତକେ ଏକ ଦୁର୍ଲଭ ପ୍ରଦୀପ ||
ଅଳସ ନୟନେ ଜାଗେ ଉଦ୍ବେଳ ଈହିତ
ମାରିତ ମଥିତ ମନେ ମୃଦୁଳ ମୟୂଖ ||
ମିଥ୍ୟା ଛାୟା ରୂପ ସାଥେ ମିଥ୍ୟା ଆଲିଙ୍ଗନ
ମିଥ୍ୟା ମରୁ-ମାଳେ ମନ୍ଦ ମେଦୁର ମୂର୍ଛନ ||
ମିଥ୍ୟା ଏ ଜଗତେ ଏକ ମିଥ୍ୟା ଆଶ୍ଵାସନ;
ମିଥ୍ୟା ମରୀଚିକା ଆଶେ ମିଥ୍ୟା ସମ୍ମୋହନ ||
ପାଶେ ଧାଇଁ ଧରିବାକୁ କଲେ ଉପକ୍ରମ
ଦେଖେ ଖାଲି ଚତୁର୍ଦିଗେ ବିସ୍ତାରିତ ଧୂମ ||
ମିଥ୍ୟା ଅନୁଧାବନ ସେ ମିଥ୍ୟା ଆଲିଙ୍ଗନ
ସମ୍ଭବ ଶ୍ରାବଣ କଲେ ଶୁଭ ଆଗମନ ||
ଏଣୁ ଖୋଜେ ଶ୍ରାବଣ ହେ ! ଆସ ଆସ ବେଗେ;
ତୁମ ପଦ-ପ୍ରତୀକ୍ଷାରେ ଅଛି ମୁଁ ସରାଗେ ||
ଗଢ଼ି ଉଠୁ ମିଥ୍ୟା ମଧୁ ମିଳନ ବିହାର:
ମିଥ୍ୟା-ଦର୍ଶନ-ତୃଷିତ ମିଥ୍ୟା ଅଭିସାର ||