ଆମ ପାଇଁ
ଆମ ପାଇଁ
ଆମ ପିତା ମାତା ଚଳନ୍ତି ଦେବତା
ସଂସାରେ ସବୁଠୁ ସାର
ତାଙ୍କ ଅନାଦର କରେ ଯେଉଁ ନର
ସେ ଯାଏ ନରକପୁର ॥
ପିତା ମାତା ଭକ୍ତି ଅମୂଲ୍ୟ ସମ୍ପତ୍ତି
ମନେ ଦେଇଥାଏ ବଳ
ତାଙ୍କ ଆଶୀର୍ବାଦ ହଟାଏ ପ୍ରମାଦ
କାର୍ଯ୍ୟ ହୁଅଇ ସଫଳ ॥
ବାଳକ ବାଳିକା ସୁମନ କଳିକା
ଜୀବନରେ ବିକଶିତ
ହେବାପାଇଁ ଗୁରୁ ଅଜ୍ଞାନ ତିମିରୁ
ଦେଖାନ୍ତି ଆଲୋକ ପଥ ॥
ଗୁରୁଙ୍କୁ ସମ୍ମାନ ଗୁରୁ ପଦେ ଧ୍ୟାନ
ସର୍ବ କାର୍ଯ୍ୟ କରେ ସିଦ୍ଧି
ଗୁରୁଙ୍କୁ ଯେ ନିନ୍ଦା କରଇ ସର୍ବଦା
ଭୋଗିଥାଏ ରୋଗ ବ୍ୟାଧି॥
ଜଡ ଅବା ଜୀବ ସବୁରି ଉଦ୍ଭବ
କରିଛନ୍ତି ଜଗତ୍ପତି
ଜଳ ସ୍ଥଳ ବନ ଆକାଶ ପବନ
ସବୁତ ତାଙ୍କରି ସୃଷ୍ଟି ॥
ତାଙ୍କ ପଦେ ଭକ୍ତି ଦିଅଇ ଶକତି
ମିଳେ ଅପୂର୍ବ ଆନନ୍ଦ
ସେହି ଦୟାମୟ ହୁଅନ୍ତି ସହାୟ
ପଡଇ ନାହିଁ ପ୍ରମାଦ ॥
ସଂସାରେ କେ ଜନ ନୁହେଁ କେବେ ଘୃଣ୍ୟ
କର୍ମ ହୋଇପାରେ ଘୃଣ୍ୟ
କୁକର୍ମେ କୁଫଳ ସୁକର୍ମେ ସୁଫଳ
ତାହା ହିଁ ପାପ ବା ପୁଣ୍ୟ ॥
ଶୈଶବ କୋମଳ କୈଶୋର ଚପଳ
ଲୋଡେ ଉତ୍ତମ ସଂସ୍କାର
ଜୀବନରେ ଭଲ ମଣିଷ ହେବାକୁ
ନିହାତି ତା ଦରକାର ॥
ସେଥି ପାଇଁ ଆମେ ଯେତେ ସବୁ ଅଛେ
ବାଳକ ବାଳିକାଗଣ
ଏ ସମସ୍ତ ଉପଦେଶେ ଦେଲେ ଧ୍ୟାନ
ହୋଇବା ଉତ୍ତମ ଜନ ॥