ଜନମିବି କାଳେ କାଳେ
ଜନମିବି କାଳେ କାଳେ
ପଣତରେ ତୋର ଘୋଡେଇଦେ ମାଆ
ଦୁନିଆକୁ ଆଡ କରି,
ଦୁଖୀ ହୃଦୟର କୋହପୂର୍ଣ୍ଣକୁମ୍ଭେ
ଆଶ୍ବାସନା ଯାଉ ଭରି ।
ସାଉଁଳି ମଥାକୁ ଶୁଆଇଦେ ଥରେ
ସରଗଟା ମିଳିଯାଉ,
ହିମ ହୃଦୟଟା ତରଳି ନୟନୁ
ନିର୍ଝରିଣୀ ବହୁଥାଉ।
ଆଉଥରେ ଆସି ପରଶିଦେ ମାଆ
ଶାଗକୁ ଦହିପଖାଳ,
ଜୀଇଁଯାଇଥିବି ଆଉ କିଛି କ୍ଷଣ
ସରିଯିବ କାଳେ ବେଳ।
ଆତ୍ମମୟ ଧରା ତୁ ହିଁ ଦୁଃଖହରା
କୋହର ବାରେଣି ମୋର,
ବାତ୍ସଲ୍ୟ ଠାଣିରେ ଚାହିଁ ଦେଏ ମା
ଯାତନା ଏ ହେଉ ଦୂର ।
କୋଟି କୋଟି ଦେବ କରୁଣା ବଳରେ
ଜନମିଛି ତୋ କୋଳେ,
କରୁଣା କର ଗୋ ଜନନୀ ତୋ କୋଳେ
ଜନମିବି କାଳେ କାଳେ ।
ସୁପ୍ରଜିତ୍ କୁମାର ସାହୁ
ଭାବରଡା,ପୋଲସରା, ଗଞ୍ଜାମ