ଭାଗ୍ୟ ବି ଯାଏ ବଦଳି
ଭାଗ୍ୟ ବି ଯାଏ ବଦଳି
ସବୁଜ ବନାନୀ ତରୁ ଲତା ମଧ୍ୟେ
ଥିଲା ଏକ କ୍ଷୁଦ୍ର ପଲ୍ଲୀ
ସେ ପଲ୍ଲୀରେ ଜନ୍ମି ଥିଲା ଏକ ପରୀ
ବାସୁଥିଲା ଯେହ୍ନେ ମଲ୍ଲୀ l
ବିଧାତା ଗଢିଲା ରୂପ ଲାବଣ୍ୟରେ
ଗୁଣରେ ନଥିଲା ଖୁଣ,
ଆତ୍ମୀୟ ସ୍ଵଜନେ ଆଦରିଲେ ସର୍ବେ
ମହକିଲା ଭଣ ଭଣ l
ସେ ପଲ୍ଲୀର ଯେତେ ବୃଦ୍ଧ ଓ ବନିତା
ପୁଲକିତ ଅନୁରାଗେ
ଚନ୍ଦନ ସୁଗନ୍ଧ ଶୀତଳତା ଗୁଣ
ଭରିଯିବ ଚଉଦିଗେ l
ଚନ୍ଦନ ଭାବିଲା ଧନ୍ୟ ମୋ ଜୀବନ
ଆଦରିଲେ ପୁରବାସୀ
ତାଙ୍କରି ସେବାରେ ନିତି ଦିବସରେ
ସେବାକୁ ଦେବି ପରଷି l
ବିତରିବି ନିତି ସୁଗନ୍ଧ ମୋହର
ଔଷଧ ଗୁଣ ବହି
ମୃଦୁ ମଳୟରେ ମହକାଇ ଦେବି
ଜନମ ସାର୍ଥକ ପାଇଁ l
ଦେଖୁଦେଖୁ ଦିନେ ବିଛୁଆତି ଏକ
ଉଁଙ୍କୁରି ଉଠି ସମୀପେ
ଶାଖା ପ୍ରଶାଖାକୁ ବିସ୍ତାର କରିଲା
ଚନ୍ଦନ ଉପରେ ଆପେ l
ଚନ୍ଦନର ଗୁଣ ମହକରେ ନିତି
ଭରି ଦେଲା କଣ୍ଡୂରେଣୁ
ଅଭାଗା ଚନ୍ଦନ କିଂକର୍ତ୍ତବ୍ୟବିମୁଢ
ହୋଇ ଗଲା ଜାନୁ ଜାନୁ l
ବଞ୍ଚିବା ତାହାର ନିରର୍ଥକ ହେଲା
ବିହି କିବା ଥିଲା ଲେଖି
ପ୍ରାରବ୍ଧ କର୍ମର ଫଳ କି ଭୋଗୁଛି
ଦେଖିଲା ସଭିଙ୍କ ଆଖି l
ଆତ୍ମୀୟ ସ୍ଵଜନେ ନ ପଶିଲେ ପାଶେ
ଦେଖି ସେ ପିଚାଶ ନର
ଶ୍ମଶାନ ତୁଳସୀ ପରାଏ ବଞ୍ଚିଲା
ନ ପାଇ ସ୍ନେହ ଆଦର l
ବିନା ଦୋଷେ ଦଣ୍ଡ ଭୋଗିଲା ଅବଳା
ଆଶା ତା ଗଲା ମଉଳି
ପିଚାସ ମାନବ ଲୋଲୁପ ଦୃଷ୍ଟିରେ
ଭାଗ୍ୟ ବି ଯାଏ ବଦଳି l
ନିର୍ଦୋଷ କୁଆଁରୀ ଜୀବନ ହାରିଲା
କିବା ଥିଲା ତାର ଦୋଷ
ମନକୁ ତୁମର ପଚାର ପଚାର
ଆରେ ବିବେକୀ ମଣିଷ l