ମାଟିରେ ଜନମି , ମାଟିରେ ମିଶେ
ମାଟିରେ ଜନମି , ମାଟିରେ ମିଶେ
ତୁ ଯେ ଏ ମାଟିର ସନ୍ତାନ,
ଏ ମାଟି ସହ ଛନ୍ଦା ତୋ ଜୀବନ,
ମାଟିର ଗନ୍ଧେ ମହକେ ତୋ ତନମନ,
ମାଟିରେ ହିଁ ହୁଏ ତୋ ରାତି ଦିନ,
ତୁ ଯେ ଧରଣୀ ର ଆଦରର ସନ୍ତାନ,
ତୁ କୃଷକ, ମାଟିରେ ଗଢା ତୋ ଜୀବନ ।
କି ବର୍ଷା, କି ଖରା, ଅବା ପୌଷର ଜାଡ ଶୀତରେ,
ନିଜକୁ ଭୁଲି ,ଜୀବନ ତୋ ମିଶି ଯାଏ ମାଟିରେ,
ତୋ ଶ୍ରମ ବାରି , ଖେତରେ ସୁନାର ଫସଲ ଖେଳାଏ ,
କ୍ଷୁଧିତ ପ୍ରାଣ ଭାତ ମୁଠାଏ ପାଇଁ ତୋତେ ହିଁ ଦେଖେ ।
ସଭିଙ୍କ ଚିନ୍ତା ଥାଏ ତୋହରି ମନେ,
ହେଲେ, କେହି କି କେବେ ତୋ କଥା ଭାବେ ?
କ୍ଷୁଧାର ଯନ୍ତ୍ରଣା ତୋ ଜଳୁଥାଏ ଯେ ରୌଦ୍ର ତାପେ ,
ଶୀତ କାକରରେ ବେଦନା ତୋହର ଜମାଟ ବାନ୍ଧେ
ବରଷା ଝରିଲେ, ଆଶାର ଆଲୁଅ ମନେ ଝଲସି ଉଠେ,
ମାଟି ସହ ମାଟି ହୋଇ , ଦେହ, ହାତ ତୋର ଶକ୍ତ ହୁଏ ,
ତୋ ଲହୁ ,ଲୁହ, ସ୍ବେଦ ବାରିରେ ମାଟି ମାଁ ଯେ ସିକ୍ତ ହୁଏ ,
ହେଲେ, ଋଣ ଭାରେ ପିଠି ତୋ ନଇଁ ନଇଁ ଯାଏ ,
ଆଶା, ଭରସା ସବୁ ତୋହର ମାଟି ତଳେ ଦବି ଯାଏ ।
ଦିନ ଆସେ , ମୃତ୍ଯୁ ପଥ ହିଁ ଶେଷେ ତୋ ଚଲା ପଥ ହୁଏ ,
ମୃତ୍ଯୁ ହାତ ଧରି ହୃଦୟ ତୋହର ଚିର ଶାନ୍ତି ଲଭେ ,
ଅବଶେଷେ ମାଟିରେ ହିଁ ଭାଗ୍ଯ ତୋର ନିର୍ଦ୍ଧାରିତ ହୁଏ,
ମାଟିରେ ଜନମି ,ମାଟି ର ମଣିଷ ମାଟି ରେ ହିଁ ମିଶିଯାଏ,
ତୁ ଯେ ଅଟୁ ଏ ମାଟି ର ଅମୃତ ସନ୍ତାନ ,
ଏ କଥା କିଏ ଅବା , କେବେ କି ବୁଝିପାରେ ? ? ?