ନୀଳବର୍ଣ୍ଣ ଶୃଗାଳ
ନୀଳବର୍ଣ୍ଣ ଶୃଗାଳ
ମୁଁ ମୋତେ ଦେଖିଲା ବେଳକୁ
ହାଇ ମାରୁଛି ଅପରାହ୍ନ ଛାଇ
ଦୂର ଦିଗ୍ ବଳୟେ
ନଇଁ ଆସିଲାଣି ସୂର୍ଯ୍ୟ
ମୋତେ ଚିହ୍ନି ହେଲା ନାହିଁ ।
ଯାହା ଚିହ୍ନି ହେଲା -
ସିଏ " ମୁଁ " ନୁହେଁ
କୃଷ୍ଣ ବର୍ଣ୍ଣ କପଟୀ ଚାଦର
ଯାହା ମୋତେ ରଖିଛି ଘୋଡେଇ,
ଯେମିତି ପରସ୍ତ ପରସ୍ତ ମେଘ ଖଣ୍ଡ
ଆକାଶର ଚେହେରାକୁ
ପକାଏ ଆବୋରି
ନୀଳବର୍ଣ୍ଣ ଦୃଶ୍ୟ ହୁଏ ନାହଁ ।
ମୋତେ ସଂସ୍କାରିତ କରିବାକୁ
ସଂସାରଟା ବଦ୍ଧ ପରିକର
ସୃଜିବାକୁ ନବ ସଂସ୍କରଣ,
ଜରାୟୁରୁ ଜୁଇ ଯାଏ
ନିରନ୍ତର ପ୍ରଚେଷ୍ଟାରେ
ମୋ ଉପରେ ବୋଳାହେଲା
ରଙ୍ଗ ଆସ୍ତରଣ
ବିବିଧ ବର୍ଣ୍ଣର ;
ସଜ୍ଞାନର ସତୃଷ୍ଣ ତୂଳୀରେ
ଭାବନାର ଅପୂର୍ବ ବିଭାରେ
ରାଗ ରଙ୍ଗ ରୋଷଣୀରେ
ମୁଁ କାଳେ ସୁନ୍ଦର ଦିଶିବି !!
ନିଜଠୁଁ ଅଲଗା ହୋଇ
ଜନମନ ଜଗତ ତୋଷିବି ।।
ଏବେ ଏବେ ରଙ୍ଗ ମାଖି
ଚାଲିଥିବା ବହୁପଥ
ନିଜ ଠାରୁ ଖୁବ୍ ବେଶି ଦୂର ,
ଅପହଞ୍ଚ ଇଲାକାରୁ
ମୁଁ ଦେଖୁଛି ମୋତେ
ମୋର ସର୍ବାଙ୍ଗ ଶରୀର
ନୀଳବର୍ଣ୍ଣ ଶୃଗାଳ ର ।।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ
ନେମ୍ବରା, କେନ୍ଦ୍ରାପଡା ।