କବିତାର ଆରପାଖ - ୧୬
କବିତାର ଆରପାଖ - ୧୬
କବିତା କି ଶବ୍ଦରେ ନୁହେଁ
ଏହାର ବାହାରେ ମୋର
ପରିଚୟ ଖୋଜାଯାଇପାରେ
ଏ ମୃଦୁ ମଳୟରେ
କେତେ କେତେ ଫୁଲର ବାସ୍ନା
ମିଶିଯାଏ, ଲିଭିଯାଏ
ରାତି ଅନ୍ଧାରରେ।
ପୁଣି କେବେ ହଜିଥିବା ବାସ୍ନା
ଠିଆହୁଏ ଅଧା ମେଲା
ଝରକା ଫାଙ୍କରେ।।
ଭୁଲିହୋଇ ଯାଇଥିବା ସ୍ବର
ଭଉଁରୀ ହୋଇ
କେବେକେବେ ଗୀତ ହୁଏ
ଅତୀତ ଅନ୍ତତଃ
ଆପଣା ମର୍ଜିରେ
ଜିଇଁବାର ଚିତ୍ର ବନିଯାଏ।
ସବୁ ଲିଭିଯାଇଥିବା ଅକ୍ଷର
କଳାପଟାର କି
କିଛି ପକ୍ଷୀ ହୋଇ ଉଡିଯାଇଥାଏ।
ଏମାନେ ମୋ ଏକେଲା ପଣରେ
ମହୁ ଆଉ ଗୁଡପିଆ ବ୍ୟାଥା ହୋଇ
ଫେରନ୍ତି,
ଲିଭିଥିବା ଅକ୍ଷର ହୁଏ ଚିଠି
ଲିଭିଥିବା ସ୍ବର ହୁଏ ପାଉଁଜି
ହଜିଥିବା ବାସ୍ନା ହୁଏ
ଗନ୍ଧ ହଳଦୀ।।