ନାରୀ ଗୋ ଅନନ୍ୟା
ନାରୀ ଗୋ ଅନନ୍ୟା
ସବୁ ରାଗ,ଅନୁରାଗ...ସ୍ନେହ,ପ୍ରୀତି, ସୋହାଗ
ସବୁ ବାଧା,ବିପଦ...ସବୁ ନିନ୍ଦା,ଅପବାଦ
ପଣତକାନିରେ ଗଇଣ୍ଠାଳ କରି
ଦୁନିଆ ଦାଣ୍ଡରେ ଥାପିଛି ମୁଁ ପାଦ ।
ମୁଁ କାହାର ଦୁହିତା..କାହାର ଜନନୀ
କାହାର ଭଗିନୀ.. କାହାର ଜାୟା
ହେଲେ ପରିଚୟ ମୋର
ମୁଁ ନାରୀ..ମୁଁ ନାରୀ.. ମୁଁ ନାରୀ।
ଧରା ପରି ସର୍ବଂସହା..ଆକାଶ ପରି ନିର୍ଲିପ୍ତ
ପର୍ବତ ପରି ଗମ୍ଭୀର..ସାଗର ପରି ଗଭୀର
ଫୁଲ ଭଳି କୋମଳ..ଶିଶୁ ଭଳି ସରଳ
ଜହ୍ନ ପରି ରୂପସୀ..କଇଁ ପରି ପ୍ରେୟସୀ
ନଈ ପରି ଅଧିରା..ଝରଣାଠୁ ଚଂଚଳା
ଝଡ ପରି ଉତ୍ତଳା..ଋତୁ ପରି ରଙ୍ଗିଲା।
ମୋ ବିନା ସୃଷ୍ଟି ଆରମ୍ଭ ହୁଏନା
ସୃଷ୍ଟି ସଜେଇ ହୁଏନା
ସୃଷ୍ଟି କାନ୍ଦି ବି ପାରେନା।
କିଏ କହେ ମୁଁ ଶକ୍ତିମୟୀ..ମୁଁ ପ୍ରେମମୟୀ
ଜୀବନ ଓ ଦୁନିଆକୁ ଗଢିବା,ଭାଙ୍ଗିବା
ସବୁ ନାରୀ ହାତର ଖେଳ।
ସତରେ ମୁଁ ଏତେ ଶକ୍ତିମୟୀ
ସକଳ ଗୁଣର ଆଧାର !
ତେବେ କିଆଁ ମତେ ଅବଳା,ଦୁର୍ବଳା କହି
ଲାଂଛିତ କର ବାରବାର
ମୋ ଶକ୍ତି,ମୋ ଧୈର୍ଯ୍ୟ, ମୋ ନିଷ୍ଠାକୁ
ପରୀକ୍ଷା କର?
ନାରୀ ନାମେ କଳଙ୍କ ରଟୁଥାଅ ନିରନ୍ତର।