ହେ ପ୍ରିୟ ପ୍ରେୟସୀ
ହେ ପ୍ରିୟ ପ୍ରେୟସୀ
ହେ ପ୍ରିୟ ପ୍ରେୟସୀ ରୂପରେ ରୂପସୀ
ଅର୍ଦ୍ଧାଙ୍ଗିନୀ ସାଜି ସାଜିଲ ମାନସୀ
ଅଂଶୁମାନ ପରି କରେ ନିବେଦନ
ବିହରିବା ପାଇଁ ଅନନ୍ତ ଅଙ୍ଗନ ।
ଅଗମ୍ୟ ଅଭେଦ୍ୟ ଯାହାର ମନନ
ସେହି ମନ ସେହି ହେଉ ଅନୁଦାନ
କେତେ ଚିନ୍ତା ହୁଏ ମାନସେ ମଥିତ
ବାଣ୍ଟିବାକୁ ସୁଖ ବାଗୀଶ ବୃତିତ ।
ଅଚିରେ ଦେଉଛ ଅଚିନ୍ତ୍ୟ ଆହାର
ମାତା ସମ ସେବା କେବଳ ତୁମର
ଫୁଲରାଣୀ ବୋଲି ଫୁଲେଇ ଅତର୍ପ୍ୟ
ଅତିମାର୍ଗି ହୋଇ ଅତ୍ୟୁକ୍ତି ଅଦମ୍ୟ ।
କିଛି କହିପାର ଅନିବନ୍ଧନରେ
କିଛି କରିପାର ଅନିବାର ଧାରେ
ଅନିବୃତ୍ତି ସଦା ବେଗ ଅନିଳର
ଅନିୟତ ନୁହେଁ ଅନିନ୍ଦ୍ୟ ଆଭାର ।
ତୁମ ପାଇଁ କିବା ପ୍ରେମ ପ୍ରତିଶ୍ରୁତି
ପ୍ରତିଦିନ ଯେଣୁ ଆସୁଛ ସ୍ମୃତି କି
ପ୍ରତି ଏକ ଦିନ ଉତ୍ସବ ସମାନ
ଅନାଥା ନୁହେଁ କି ଆନତି ଆନନ ।
ବିବାହ ବନ୍ଧନେ କର୍ତ୍ତବ୍ୟ ପ୍ରସାରି
ନୁହେଁ ଏକ ଦିନ ସୁଖ ଅନୁସରୀ
ପ୍ରତିଦିନ ହେଉ ଉତ୍ସବ ମୁଖର
ଯେ ଦିନ ଚାହିଁବ ମଧୁ ମଧୁଭୋର ।
ମତ୍ତ ଖୋଜେ ମଧୁରିମା ଏକଦିନ
ପ୍ରମତ୍ତ କି ତମେ ଓ ମୁଁ ସବୁଦିନ
ପ୍ରଶାନ୍ତ ନୁହେଁ ଯେ ପ୍ରମଦା ବିକିର୍ଣ
ପ୍ରବୃତ୍ତି ତାହାର ମାଦକେ ବିପନ୍ନ ।
ମତ୍ତକାଶୀ ଯିଏ ରହେ ପ୍ରତିକ୍ଷଣ
ପ୍ରେମ ପ୍ରତିଦାନ ତାକୁ କି କାରଣ
ପ୍ରେମ ମୋର ତୋତେ ହୃଦୟ ବରଣ
ପ୍ରେମ ହେଉଥାଉ ଜୀବନ ସ୍ପନ୍ଦନ ।
ପ୍ରଶାନ୍ତ କୁମାର ହୋତା।