କିଏ ହେବ ତା'ର ସରି
କିଏ ହେବ ତା'ର ସରି
କେତେ ହୀରା,ଲୀଳା,ମୋତି ଓ ମାଣିକ
ପୂରିଅଛି ତା ଗରଭେ,
ଯିଏ ଜାଣେ ତାକୁ ଆପଣାର ମଣେ
ତାହା ନ ଜାଣନ୍ତି ସରବେ।
ଅନ୍ଧାର ମଧ୍ୟରୁ ଆଲୋକ ସନ୍ଧାନ
ଦେଇଥାଏ ପରା ସିଏ,
ଯୁଗ ଇତିହାସ ଅମର ଗାଥାକୁ
ଆମକୁ ବଖାଣି ଥାଏ।
ପୂରୁବ ପୁରୁଷ ଅମ୍ଲାନ କୀର୍ତ୍ତିକୁ
ତା ଗର୍ଭେ ସାଇତି ଅଛି,
ସଂସ୍କୃତି, କଳା,ଭୂଗୋଳ ଆମର
ତା ଗର୍ଭରେ ଲୁଚିଅଛି।
ତା ପାଇଁ ସଭିଏଁ ସାକ୍ଷର ହୋଇ
ଶିକ୍ଷିତ ବୋଲାଅନ୍ତି,
ତାକୁ ଅଧ୍ୟୟନ କରି ଏ ମଣିଷ
କାହିଁ କେଉଁଠି ପହଞ୍ଚନ୍ତି।
ସିଏ ତ ଆମରି ଅମୂଲ୍ୟ ସମ୍ପଦ
କେହି ନୁହେଁ ତାକୁ ସରି,
ଯେତେ ଧନ ରତ୍ନ ସଙ୍ଗେ ତଉଲିଲେ
ସମାନ ହେବ କିପରି?
ଏମିତିକା ରତ୍ନ ,ଯେ ତାକୁ ଅରଜେ
କେହି କିଛି କରି ପାରେ ନାହିଁ,
ନିଆଁ,ପାଣି ଅବା ଝଡ଼ କି ବତାସ
ଚୋର ସବୁ ଯାଆନ୍ତି ଦୂରେଇ।
ସିଏ ମହାଧନ,ସିଏ ମହାରତ୍ନ,
ସିଏ ପରା ମହାମନ୍ତ୍ର,
କେ ଦେଇ ପାରିବ ତା ମୂଲ ଅମୂଲ
ତା ଦାନ ଅଟେ ମହତ।