ବାରବାଟୀ
ବାରବାଟୀ
ରାଧାମୋହନ ଗଡନାୟକ
ବାରବାଟୀ ଏଇ ବାରବାଟୀ
ଦିନେ ଥିଲା ଆମ ବୀରମାଟି,
ଦିନେ ଥିଲା ଆମ ରାଜଧାନୀ
ସୁନ୍ଦର ଅତି ପରିପାଟୀ ।
ନଅର ଥିଲା ଯେ ଏଇଠାରେ
ହସୁଥିଲା ମଣି- ମୁକୁତାରେ,
ଆକାଶକୁ ମଥାତୋଳିଥିଲା
ନଅ ବେଢା ନଅ ମହଲାରେ ।
ଏଇଠାରେ ନଦୀ ସନ୍ଧିରେ
ମେଘଛୁଆଁ ଏକ ମନ୍ଦିରେ,
ଜଗତର ନାଥ ବଡଦିଅଁ
ରହିଥିଲେ ପୂଜା- ବନ୍ଦୀରେ ।
ସେ ଦେଉଳ ଆଜି ନାହିଁ
ଲୁଚି ଯାଇଅଛି ଭାଜି ଯାଇ,
ଦେଉଳ ସାହିର ବୁକୁ ପରେ
ଆଜି ବି ରହିଛି ତା’ର ଛାଇ ।
ଏଇ ମହାନଦୀ ଖେଳି ଖେଳି
ନାଚି ନାଚି ଢେଉ ମେଲି ମେଲି,
ଜୟଗୀତି ନୀତି ଗାଉଥିଲା
ଇଆରି ଆଡକୁ ଫେରି ଫେରି ।
ଏଇ ନଦୀ ଜଳ ବଳ ପାଇ
ଫୁଲି ଉଠୁଥିଲା ଗଡଖାଇ,
ଆମରି ଗଡର ଜଗୁଆଳ
ଚାହିଁ ରହିଥିଲା ଚଉବାହି ।
ଏଇ ମହାନଦୀ ତଟ ପରେ
ପଥର ବନ୍ଧ ଆଟୋପରେ ,
ଛାତି ଦେଇ ରହିଥିଲା
ଆଜି ଲୁଚିଅଛି ମାଟିତଳେ ।
ନାଆ ମେଲି ଏଇ ନଇ ଜଳେ
କେତେ ପୁଅ ଝିଅ ହରଷରେ,
ପ୍ରାଣଖୋଲା ଗୀତ ଗାଈ ଗାଈ
ଚାପ ଖେଳୁଥିଲେ ଦଳେ ଦଳେ ।
ପାଇକ, ରାଉତ, ଲଢୁଆଳ
ଏଇ ପଥେ କରି ପଟୁଆର,
ଦଶହରା ଖେଳ ଖେଳୁଥିଲେ
ଘେନି ଧନୁଶର ତଲୁଆର ।
ଏଇଠୁ ବାହାରି ଦଳ ଦଳ
ଆମରି ଦେଶର ସେନାବଳ,
ଦିଗ ବିଜେ କରି ଫେରୁଥିଲେ
ପତାକା ଉଡାଇ ଫରଫର ।
ବାରବାଟୀ, ଆମ ବାରବାଟୀ
ପୁଣ୍ୟ ମାଟି ଏ ବୀରବାଟୀ,
ଦେହସାରା ତାଜା ଲହୁ ଧରି
ଗଢିଥିଲା ତା’ର ବୀର ଛାତି ।
ପୁଣ୍ୟ ଆମର ଏଇ ଧୂଳି
ତୀର୍ଥ ଆମର ଏଇ ପୁରୀ,
ଇଆରି ନାଆଁରେ ଗୀତା ଗାଇ
ଆମ ଛାତି ଆଜି ଉଠୁ ପୂରି ।