ହେ ! ଶୁଣ ମ
ହେ ! ଶୁଣ ମ
ଆଜି ଗୋ ମୁଁ ସହକାରୁ କୋଇଲିର ସୂର ଚାରୂ
ଶୁଣିଲି ତୁହାକୁ ତୁହା ସଖୀରେ
ଜଳୁ ଜଳୁ ଚିତ୍ତବନ ବିଭୋର ହେଲାନି ମନ
ଅମାନିଆଁ ଲୁହ ଆସି ଆଖିରେ
ରୁନ୍ଧି ହେଲା ସବୁ ବାଟ ସନ୍ଧିକ୍ଷଣର ଉଚ୍ଚାଟ
ଭାବନାର ବାଟଘାଟ ବିକଳ କରିଲା ନାଟ
କେହି ବି ତ ନ ଥିଲେ ତା' ଦେଖିରେ
ଶୁନ୍ୟ ବାସ ପରିବେଶ ଦୁଇ କୁକୁର ଅବଶ୍ୟ
ଅଛନ୍ତି ମୋର ହତାଶ ସାକ୍ଷୀରେ ।
ତୁମେ ଯେବୁଁ ଗଲ ଚାଲି କାହା ପାଶେ ମନ ଖୋଲି
ହୃଦୟର କଥା ବ୍ୟଥା କହିବି
କିଏ ମୋ ହୃଦୟେ ପଶି ହଜିଥିବା ଖୁସି ରସି
ଧରାଇବ କେଉଁଠୁ ବା ପାଇବି
ଖୁସିରେ ମୁଁ ମାତୁମାତୁ ମନୁ ହରି କୁତୁକୁତୁ
ଜ୍ବଳନର ହୁତୁହୁତୁ ହରାଇଛି ଜିତୁଜିତୁ
ଫିଙ୍ଗିଲା ନିରାଶେ ଗଲି ଲାଖିରେ
ତୁମେ ଗଲ ନାହିଁ କିଏ ଦେଖିବ କେମିତି ଜିଏଁ
ସମବେଦନା ଟିକିଏ ମାଖିରେ ।
ଯେତେ କଲେ ଲିପାପୋଛା ସେଦିନ ପରି ଚରଚା
ପ୍ରଣୟାନଭେ ଆଉ କି ଉଇଁବ
ଫଟା ଦିଶିବ ଚଡ଼କି ଜୀବନର ଝକମକି
ଆଉ କି ଗୋ ନିଆଁ ଢୋକି ଚେଇଁବ
ମରମରେ ମୋହ ନାହିଁ ତହିଁରେ ସରମ ଦ୍ଵାହି
ଜିଇଁବାର ହାଇଁ ପାଇଁ ସେଦିନୁ ପଡିଛି ଶୋଇ
ଆୟୁଷର ଶେଷ ପରିପ୍ରେକ୍ଷୀରେ
ଶେଷଶ୍ଵାସ ଥିବାଯାଏ କା' ସହାନୁଭୁତି ଖିଏ
ରହୁ, ଏଇ ଆଶା ଅଛି ଜାକିରେ ।
ଜୀବନରେ ଚାଲିବାରେ ଯଦି ମନ ମିଳେ କା' ରେ
ଏକାକୀତ୍ଵ ଦାୟୀ ତହିଁ ରହିବ
ନାହିଁ ଅସୁମାରୀ ଗାଥା କିଛି କଥା କିଛି ବ୍ୟଥା
ଶେଷମୁଣ୍ଡେ କା' ରେ ଟିକେ କହିବ
ଭାଙ୍ଗିବାରେ ଆଶ୍ଵାସନା। ଅବା ଗୋ ସମବେଦନା
ଟିକିଏ ପାଇବି ସିନା କରି ତା' ଅବମାନନା
କେଉଁ ଇତିହାସ ଯିବି ଲେଖିରେ
ସାରିବାକୁ ମୋର ଖେଳ ଖୋଜେ ବେଳ ଅବିରଳ
ମାଛରଙ୍କା ପରି କାଳ ଟାକିରେ ।
ଦୂରେ ହଟୁ କଦର୍ଥନ ଶୁଣିଲେ ମୁଁ କୁହୁ ସ୍ଵନ
ଅତୀତର ସ୍ମୃତି ଉଠୁ ଚିଆଇଁ
ଅନ୍ତତଃରେ ମୋ ଚତୁର୍ଥେ ଭାବନା ରହୁ ଯଥାର୍ଥେ
ସାନ୍ତ୍ୱନାରେ ଶାନ୍ତି ଡାଳ ନୁଆଁଇ
ସାରି ଏଇ ଭବ ଖେଳ ବସିଲେ ବିସ୍ମୃତି କୋଳ
ରହୁ ସ୍ମୃତି ଛଳଛଳ ସବୁରୀ ହୃଦୟ ତଳ
ଏଇ କଥା ଚିନ୍ତା ଯାଏ ଆଙ୍କିରେ ।
ହୃଦୟ ଭାବନା ଯେତେ ପରଷୁ ଲେଖନୀ ସେତେ
ମୋ ଭାଷାରେ ରୁହେ ମୁହିଁ ଲାଖିରେ ।