କଳକୀ ଅବତାର
କଳକୀ ଅବତାର
ଧରଣୀରେ ଯେବେ ଅନ୍ୟାୟର ମାତ୍ରା
ହୁ ହୁ ହୋଇ ବଢେ
କଳକୀ ଅବତାର ନେଇ କରି ପ୍ରଭୁ
ବିରାଜ ଧରା ବକ୍ଷରେ।
କୃପାଣ ହସ୍ତରେ ଧରି ମହାପ୍ରଭୁ
ପାପୀ ମାନଙ୍କୁ ପ୍ରହାର
ନୃଶଂସ ବର୍ବର ମାନଙ୍କୁ ଅଚିରେ
ପୃଥିବୀ ପୃଷ୍ଠୁ ସଂହାର।
କାଳର କରାଳ ଗତିରେ ହୋଇଛି
ଏ ଧରା ପୁଣି ଆକ୍ରାନ୍ତ
ଦୁଷ୍ଟ ଦୂରାଚାରୀ ପାପୀମାନଙ୍କର
ବଢିଛି କେତେ ଆତଙ୍କ।
ଶକ୍ତି ଆଉ ପରାକ୍ରମର ବଳରେ
ସଭିଁଙ୍କୁ କରିଣ ବଶ
ଚଳାନ୍ତି ନିଜର ପାପର ଶାସନ
ନଥାଏ ଭୟର ଲେଶ।
ଅନ୍ୟକୁ କଷ୍ଟ ଦେଇକରି ନିର୍ଦ୍ଦୟୀ
ପାଆନ୍ତି ଆତ୍ମ ସନ୍ତୋଷ
ନିର୍ଯ୍ୟାତିତ ମାନେ ଗୁମୁରି କାନ୍ଦନ୍ତି
ଭାଗ୍ୟକୁ ଦିଅନ୍ତି ଦୋଷ।
ତୁମରି ଚରଣେ ନିର୍ଯ୍ୟାତିତ ମାନେ
ନେଇଛନ୍ତି ଯେ ଶରଣ
ଶରଣାଗତଙ୍କୁ ରକ୍ଷା କର ଆହେ
ମହାବାହୁ ଆର୍ତ୍ତତ୍ରାଣ।
ଖଡ୍ଗ ପ୍ରହାରରେ ବିନାଶ କର ହେ
ଦୁଷ୍ଟ ଦୂରାଚାରୀ ଜନେ
ସୁଦର୍ଶନ ଚକ୍ର ଆଢୁଆଳେ ରଖ
ନିରୀହ ଏବଂ ସଜ୍ଜନେ।
ମିନାକ୍ଷୀ ସାମଲ