ହାତୀର ଜବାବ
ହାତୀର ଜବାବ
ଟାଙ୍ଗରା ଜଙ୍ଗଲୁ ହାତୀପଲେ ଦିନେ
କାଟିବାକୁ ଛୁଟିଦିନ,
ସହରର ଗଳି କନ୍ଦି ବୁଲୁଥିଲେ
ହଲେଇ ହଲେଇ କାନ ।
ଚିକଣ ଚାକଣ ଅଫିସର ଗଣ
ଦେଖିଣ ହାତୀଙ୍କ ପଲ,
ପଚାରିଲେ ଆସି ଜଙ୍ଗଲ କୁ ଛାଡି
ଏଠାକୁ କାହିଁ ଆସିଲ ?
ବୁଢ଼ା ହାତୀଟିଏ ଦେଲାଯେ ଉତ୍ତର
ହଇରେ ସ୍ୱାର୍ଥୀ ମାନବ,
ଜଙ୍ଗଲ ଠିକଣା ପଚାର ତୋ ଘରେ
ଟେବୁଲ ଚୌକି କହିବ ।
ବିରାଟ ସଉଧ ଗଢିଛୁ ଯେଉଁଠି
ଦିନଥିଲା କାଳଥିଲା,
କେତେ ବନ୍ୟଜନ୍ତୁ ରହୁଥିଲେ ସେଠି
ସିଏବି ଜଙ୍ଗଲ ଥିଲା ।
ଯେତେଯେତେ ଜ୍ଞାନ ଅରଜୁଛୁ ଧନ
ମୂର୍ଖ ହେଉ ବେଶି ବେଶି,
ଭଲକି ଜାଣିଛୁ ବୃକ୍ଷତୋ ଜୀବନ
ତଥାପି କାଟୁଛୁ ହସି ।
ଏହା କହି ହାତୀ ମୁହଁ ମୋଡି ଦେଇ
ମାଡ଼ି ଚାଲିଲେ ଆଗକୁ,
ସହରୀ ବିଜୁଳି ଆଲୁଅର ମାଳି
ଭୁଲି ପଶିଲେ ଗାଆଁକୁ ।
ହଠାତ ଆଖିରେ ପଡ଼ିଲା କ୍ଷେତଟେ
ମକା ଶସ୍ୟେ ଭରପୁର,
କେଇ ମୂହୁର୍ତ୍ତରେ ଖାଇ ଭାଙ୍ଗି ସବୁ
କରିଦେଲେ ନାରଖାର ।
ହାତରେ ପାଞ୍ଚଣ ମାଲିକ ଧରିଣ
ରାଗେ ଗର ଗର ହୋଇ,
ଚିତ୍କାର କରିଣ ଦଉଡି ଆସିଲା
କେତେ ଗାଳି ଦେଇ ଦେଇ ।
ଆହେ ପୋଡାମୁହାଁ ହାତୀ ଗୁଡା ତୁମେ
ବୋପା ସମ୍ପତ୍ତି ଭାବିଲ,
ମନଇଚ୍ଛା ଆସି ମକା ଖାଇଦେଲ
ଚାଷ ତୁମେ କରିଥିଲ ?
କୁନି ହାତୀ ଗୋଟେ କହିଲା ହଇରେ
ଏଡିକି ଅଲଜ୍ଜା ହେଲୁ,
ଗଛ ଗୁଡା ତୁ ଯେ କାଟି ବୋହି ଆଣୁ
ଜଙ୍ଗଲ କି କରିଥିଲୁ ?