ମା'ର ମମତା
ମା'ର ମମତା
ଦଶ ମାସ ଦଶ ଦିନର ଯନ୍ତ୍ରଣା
କେତେ ପୂଜାର୍ଚ୍ଚନା ମନର ବେଦନା
ସବୁ ତା' ସନ୍ତାନ ପାଇଁ
ତିଳ ତିଳ କରି ଜାଳେ ସେ ନିଜକୁ
ମା' ମୋ ମମତାମୟୀ ।।
ସାତ ସିଆଁ ପଛେ ଲୁଗା ସେ ପିନ୍ଧଇ
ପେଟ ପଛେ ତା'ର ଅପୂରା ରହଇ
ଦାନା ଯାଚିଦିଏ ସ୍ନେହେ
ଧାର ଧାର ଲୁହ ବହିଯାଏ ଯେବେ
ସନ୍ତାନଟି ଭୋକେ ରୁହେ ।।
ଆନନ୍ଦର ଅଶ୍ରୁ ଝରେ ତା' ଆଖିରୁ
ଲିଭିଯାଏ କୋହ କେତେ ତା' ମନରୁ
ସନ୍ତାନର ସୁଖ ଦେଖି
ଚାତକ ପରାୟ ଚାହିଁ ବସିଥାଏ
ଗ୍ରାମ ଦେବତୀ ତା' ସାକ୍ଷୀ ।।
ଚଉଁରା ମୂଳରେ ବାଢେ ସେ ପ୍ରଣତି
ଜାଳିଦିଏ କେତେ ନିତି ସଂଜବତୀ
କଣ୍ଟାଟିଏ ଫୁଟି ଗଲେ
ରାତି ରାତି ବସି ଉଜାଗର ରହି
ସେବା କେତେ କରି ଚାଲେ ।।
ସୁଖ ଶୀରି ଯେତେ ବାଣ୍ଟି ଦେଉଥାଏ
କଣ୍ଟକିତ ପଥେ ଫୁଲ ବିଂଚୁଥାଏ
ଖିଲି ଖିଲି ହସୁଥାଏ
ସନ୍ତାନଟି ତା'ର ଆକାଶ ଛୁଇଁଲେ
ମନଟି ତା' ପୂରିଯାଏ ।।
ଫେରିବା ବାଟକୁ ଚାହିଁ ବସିଥାଏ
ଆଖିରେ ଆଖିରେ କଥା କହୁଥାଏ
ନୀରବତା ଢାଙ୍କି ଦିଏ
ସନ୍ତାନଟି ତା'ର ପାଖେ ଯେବେ ଥାଏ
ମନ ପୁଲକିତ ହୁଏ ।।
ମାଆର ପଣତ ସୁରକ୍ଷା ନିଳୟ
ଆସୁ ବା ବିପଦ ଆସୁ ଯେତେ ଭୟ
ଛୁଇଁ ପାରେ ନାହିଁ କେବେ
ସେନେହ ଶକତି ଏତେ ବଳୀୟାନ
ଘୁରୁଥାଏ ଚଉଦିଗେ ।।
ମା' ର ମମତା କଳ କଳ ନଈ
ଧୋଇଦିଏ ଦୁଃଖ ହସ ଫୁଟୁଥାଇ
ଆଶିଷର ନୀଳକଇଁ
ଜୀବନ ଯାତ୍ରାର ଶେଷ ପରିଧିରେ
ମା' କୋଳ ଝୁରୁଥାଇ ।।
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ , ବଡବିଲ।