ସହିଦ ପୁଅର ବାପା
ସହିଦ ପୁଅର ବାପା
କହି ଯାଇଥିଲା ଆସିବ ଘରକୁ
ଆସନ୍ତା ଆଶ୍ଵିନ ମାସରେ
ଆଶ୍ୱିନର ବହୁ ପୂର୍ବରୁ ଫେରିଲା
ଜାତୀୟ ପତକା ଭିତରେ ।
ପ୍ରତି ଥର ପରି ଆଣିନି ଏଥର
ଗହଣା ଅଳତା ଚୁଡି
ଗଲା ବେଳେ ଲୁହ ଭରି ଦେଇଥିଲା,
ଏବେ ଦିଏ ଛାତି କୋରି ।
ଶୈଶବ, କୈଶୋର, ଦେଖିଛି ଯେ ଆଖି,
କେମିତି ପାରିବ ସହି
ଯେତେ ବୁଝେଇଲେ, କି ହେବଟି ଆଉ,
ପୁଅ କି ଆସିବ ଫେରି !
ଗଲା ସନେ କେତେ ବାଇଦ ବଜେଇ
କରିଥିଲି ତାକୁ ବାହା
ଏ ସନେ ଦେଖୁଛି ତା’ ମର ଶରୀର,
ଦୁଆରେ ହେଇଛି ଥୁଆ !!
ନିରିମାଖି ବଧୂ ଚାହିଁଛି ଜଳକେ,
କେମିତି ପାରିବ ବୁଝି
ସଂସାର ଆରମ୍ଭ କରିବା ପୂର୍ବରୁ,
ଶୋଇଛି ସେ ଆଖିବୁଜି ।
କେତେ ଶରଧାରେ ସାତ ଗାଁଆ ବୁଲି
ଆଣିଥିଲା କନ୍ୟା ଖୋଜି
ଗୋଟିଏ ଚାଉଳେ ଗଢା ରୂପ ତା’ର,
ଦି’ ଦିନେ ପଡିଲା ଭାଜି !
କିଏ ସେ ଦେଖିବ ସେ ପୋଡା ମୁହଁକୁ,
କାହା ପାଇଁ ହେବ ସଜ
କେମିତି ଏ ଦେହ ଧରି ମୁଁ ବଞ୍ଚିବି,
ଦେଖି ତା’ ବିଧବା ରୂପ !
ଯାହା କାନ୍ଧେ ଶୋଇ ମଶାଣି ଭୂଇଁକୁ
ଯାଇ ଥାଆନ୍ତି ମୁଁ ଗର୍ବେ
ତା’ ମର ଶରୀର କାନ୍ଧେଇ କେମିତି,
ଯିବି ଏଇ ଦଶ ଖୋଜେ !
ଗାଁଆ ନାମ ଆଜି ଡିବି ଡିବି ବାଜେ
ପୁଅର କୃତିତ୍ଵ ପାଇଁ
ଚାରି ପଦ ଫମ୍ପା ସାନ୍ତ୍ଵନା ଦେବାକୁ
ସଭିଏଁ ଆସନ୍ତି ଧାଇଁ ।
ବାରମ୍ବାର ପ୍ରଶ୍ନ କରୁଛି ମିଡିଆ,
ଚାହେଁ ସେ ଜାଣିବା ପାଇଁ
ଦେଶ ପାଇଁ ବଳିଦାନ ଦେଲା ପରେ,
କେମିତି ଲାଗୁଛି ଭାଇ ?
ଅମର ରହିବ ପୁଅ ମୋ ଆଜିଠୁ,
କୁହନ୍ତି ସଭିଏଁ ଗର୍ବେ
ଗାଁଆ ମାଟି ଆଉ ଆତ୍ମୀୟସ୍ୱଜନ,
ଧନ୍ୟ ହୋଇଗଲେ ସର୍ବେ ।
ତୋପର ସଲାମୀ, ମନ୍ତ୍ରୀଙ୍କ ସଲାମୀ,
ଭାଗ୍ୟେ ଥିଲେ ଯଦି ମିଳେ
ତେବେ କୁହ କାହିଁ ଏ ବୁଢା ବାପର,
ଛାତି ତଳେ ନିଆଁ ଜଳେ ??
କେମିତି ଜାଣିବେ ସଂସାର ଉଜୁଡି
ଗଲାର ଦୁଃଖଟା କେତେ
ସେମାନଙ୍କୁ ଖାଲି ଖବର ଦର୍କାର,
ଶୁଣିବେ ଯାହା ସମସ୍ତେ ।
ଭଉଣୀ ବିବାହ, ଭାଇ ପାଠ ପଢା,
କରିବାକୁ ଥିଲା ସବୁ
ବାପ ମା’ଙ୍କ ସେବା କରିବ ବୋଲିକି
କଥା ଦେଇଥିଲା ଆଗୁ ।
ଆଶ୍ଵିନେ ଆସିଲେ ତୀର୍ଥ କରେଇବ,
ଗାଡି ଗୋଟେ ଭଡା କରି
ଚାଳ ଘରଟାକୁ ପକ୍କା କରିବାକୁ,
ଇଚ୍ଛା ଥିଲା ମନେ ଭାରି ।
ଯେତେ ଯେତେ ସ୍ଵପ୍ନ ଦେଖିଥିଲା ଆଖି,
ଅକାଳେ ପଡିଲା ଝରି
ଲିଭିଗଲା ମୋର ଘରର ପ୍ରଦୀପ
ଆତଙ୍କିଙ୍କ ଗୁଳି ଖାଇ !
ରକ୍ତର ହୋଲି ଖେଳିବା ଲୋକକୁ
ଡାକୁଛି ମୁଁ ଆସ ଥରେ
ଦେଖ ଏ ଜୀବନ କେମିତି କଟଇ,
ତୁମ ହୋଲି ଖେଳ ପରେ !
ଭୋକର ଭୂଗୋଳ, ମନର ବିକଳ,
ମୁଣ୍ଡେଇକି ନିଜ କାନ୍ଧେ
ଭେଣ୍ଡିଆ ପୁଅର ଓଜନ ସବୁଠୁ,
କେମିତିଆ ଭାରି ଲାଗେ !!