କବି ପଣେ କବିତା
କବି ପଣେ କବିତା
ହେଉଛି ମୁଁ କବି ଦେବି ମୁଁ ପ୍ରସବି
ସାହିତ୍ୟ କବିତା କଥା
କିଏ ବୁଝୁ ଅବା ନବୁଝୁ ତାହାକୁ
ଲେଖା ଦେଉ ଥାଉ ବ୍ୟଥା ।
ଲେଖିବି କବିତା କେତେ ଭାଷା ଦେଇ
ହେବକି ହିରଣ୍ୟ ହୁଦା
କିଏ ଜାଣେ କବି କବିତା ପ୍ରସଙ୍ଗ
ଓଡିଆ ସଭିଙ୍କୁ ବାଧା ।
ସାହିତ୍ୟ ପ୍ରସାରେ ବହିବି ବିସ୍ତାରେ
ଲେଖା ହୁଏ ବିବାସିତା
ନାଆ ଫଳିଯାଏ ଫଳକ ଉପରେ
କିଏ ପଢେ କାର ଚିନ୍ତା ।
ଅନ୍ତରେ ଅନ୍ତରେ ହୁଅନ୍ତି ଆତୁରେ
ହେବା ପାଇଁ ଅନିନ୍ଦିତା
କହିଦେଲେ କିନ୍ତୁ ବାଧିଯାଏ ଭାରି
ପ୍ରତି ପଦେ ଦିଶେ ବ୍ୟଥା ।
ଜଳାଶୟ ଯାହା କାଷାର କହିବି
ଏତେ ଜ୍ଞାନ ମୋର ନାହିଁ
ଆଶାର ଆଶ୍ରୟ କବିପଣେ ଶ୍ରେୟ
ଅର୍ବାଚୀନ ଯାହା ହୋଇ ।
ମୋର ଚତୁର୍ପାର୍ଶ୍ଵ ଦେଖି ଦୀର୍ଘଶ୍ବାସ
ନେଉଥାଏ ନୂଆ ହୋଇ
ସୁଷମା ସୁରମା ଉପମାକୁ ଦେଇ
କବି ପଦ ବୋଲୁଥାଇ ।
ସାହିତ୍ୟ ସଦୁକ୍ତି ଦେଲେ ହେଁ ବିରକ୍ତି
ଦୂରକରେ ନରେତରେ
ଯଥା ବାଦ୍ୟକାର ସଂଗୀତ ନିର୍ଝର
ବିଚ୍ୟୁତ ହେଲେ ଅନ୍ତରେ ।
ଉତର ଜନରେ ଅଧିକ ଆସରେ
ଲେଖା ହେଉଥିଲେ ବୁଝି
ସାହିତ୍ୟ ରସରେ ସଜ୍ଜନ ଆଦରେ
ଅର୍ଥ ଥିଲେ ଅନହଜି ।
ପ୍ରଶାନ୍ତ କୁମାର ହୋତା