|| ଆସ ଆମେ ଆଉ ଥରେ ଅକ୍ଷର ଶିଖିବା
|| ଆସ ଆମେ ଆଉ ଥରେ ଅକ୍ଷର ଶିଖିବା
ବ୍ରହ୍ମା ବିଷ୍ଣୁ ମହେଶ୍ୱର କହି
ତିନୋଟି ମୁଣ୍ଡଳା ବୁଲେଇ
ଚାଲ ଆମେ ଆଉ ଥରେ ଅକ୍ଷର ଶିଖିବା
ବିଶ୍ୱାସର ଖଡ଼ିଛୁଆଁ କରି ସମ୍ପର୍କର ସିଲଟରେ
ଆଉ ଥରେ ଜୀବନର ଅ, ଆ ଲେଖିବା
ଚାଲ ଆମେ ଆଉ ଥରେ ଅକ୍ଷର ଶିଖିବା l
ଯଥେଷ୍ଟ କଷିଲେ ଆମେ ପ୍ରାପ୍ତବୟସ୍କମାନଙ୍କର
ହାରାହାରି ଲାଭକ୍ଷତି ହିସାବୀ ଗଣିତ
ଅଗଭୀର ସମତଳ ପରି ଜ୍ୟାମିତିକ ଜୀବନରେ
ସୌହାର୍ଦ୍ଦ୍ୟର ସନ୍ନିହିତ କୋଣସବୁ ଉପେକ୍ଷିତ l
କେଉଁଠି ହଜାଇ ଦେଲୁ ନିରୀହ ଖୁସିର କ୍ଷଣ
ନିଷ୍କପଟ ଭଲପାଇବାର ମିଠା ବର୍ଣ୍ଣମାଳା
ପଛରେ ରହିଲା କାହିଁ ସକାଳ କଅଁଳ ଛୁଆଁ
ରୂପାଥାଳୀ ଜହ୍ନ ହସ ମାୟାର ମେଖଳା l
ବଜାରର ଗହଳି ଭିତରେ ବିକି ଭାଙ୍ଗି ଦେଲୁ
ଥିଲା ଆମ ହୃଦୟରେ ଯେତେ ନିରୀହ ବିଶ୍ୱାସ
ପ୍ରେମର ଝରଣାଟିଏ ନାଚି ନାଚି ବହୁଥିଲା
ଶିଳାବନ୍ଧେ ରୁଦ୍ଧ ଏବେ ତା'ର ଶିଥିଳ ନିଃଶ୍ବାସ l
ଦଉଡ଼ନା ଦଉଡ଼ନା ଆଉ ଊର୍ଦ୍ଧ୍ବଶ୍ୱାସ ହୋଇ
ନିଃସଙ୍ଗ ଏ ମଧ୍ୟାହ୍ନରେ ବଡ଼ ଟାଣ ଖରା
ଶାନ୍ତିର ସୀତାକୁ ଆମେ ହରାଇଲୁ ସିନା
ସୁଖର ମାୟାବୀ ହରିଣ ଦିଏ ନାହିଁ ଧରା l
ରିକ୍ତ ମନ ଦଗ୍ଧ ଅନ୍ତରର ପାଉଁଶ ଶେଯରେ
କେତେ ଦିନ ଆଉ କହ ଶୋଇ ରହିଥିବା
ଚାଲ ଆଉ ଥରେ ସେହି ଝରଣା କୂଳକୁ
ବନ୍ଧ ଭାଙ୍ଗି ଦେଇ ତାକୁ ମୁକ୍ତ କରିଦେବା l
ସ୍ନେହର ସଲିଳ ସିଞ୍ଚି ତୃଷିତ ମାଟି ଛାତିରେ
ଉତ୍ତପ୍ତ ପ୍ରାଣର ଜ୍ୱାଳା ଶୀତଳ କରିବା
ଆଉ ଥରେ ଆରମ୍ଭିବା ସମ୍ପର୍କର ବର୍ଣ୍ଣବୋଧ
ପ୍ରେମର ଭାଷାକୁ ଆଉ ଥରେ ପଢ଼ି ନେବା
ଆସ ଆଉ ଥରେ ଆମେ ଅକ୍ଷର ଶିଖିବା l
® ନରେନ୍ଦ୍ର କୁମାର ଆଚାର୍ଯ୍ୟ. ୩୦.୩.୨୦୧୭