ନିଧିର ଘର
ନିଧିର ଘର
ଜାଗ୍ରତ ଆଖିରେ ନିଧି ଦେଖେ ସପନ
କରିଅଛି ଘର ଖଣ୍ଡେ ଲଗେଇ ମନ
ରାଜଧାନୀ ଠାରୁ ଜମା ଦି’ ହାତେ ଦୂର
ବଡ ଅପରୂପ ଅଟେ ଶୋଭା ତାହାର
ଅଢେଇ ଗୁଣ୍ଠର ଜାଗା ବସିଛି ମାଡି
ଆମ୍ୱ ନଡିଆର ଗଛ ଧାଡିକି ଧାଡି
ପୋଖରୀର କାଚକେନ୍ଦୁ ପାଣି ଭିତରେ
ଜଳକ୍ରୀଡା କରେ ମାଛ ମନ ଖୁସିରେ
ଗୁଆଗଛ ଆଗେ ବାୟା କରିଛି ବସା
ହଲି ହଲି ଶୁଣୋଉଛି ପ୍ରେମ ସନ୍ଦେଶା
ଘାସର ଗାଲିଚା ଲାଗେ ଭାରି ନରମ
ପାହାନ୍ତି ପ୍ରହରୁ କରେ ପ୍ରାତଃଭ୍ରମଣ
ପଛ ପଟେ କରିଅଛି ପରିବା ବାଡି
ବଜାରକୁ ଯାଉନାହିଁ ଆଉ ଦଉଡି
ଶାଗ, ମୁଗ, ଶିମ୍ୱ, କୋବି ଲାଗିଛି କେତେ
ନିଜେ ଖାଇ ବାଣ୍ଟୁଅଛି ଯାହାକୁ ଯେତେ
ପୂର୍ଣ୍ଣମୀ ରାତିର ଶୋଭା କରେ ଦର୍ଶନ
ପାସେ ବସି ପତ୍ନୀ କରେ ମନୋରଞ୍ଜନ
ପିଲାଙ୍କର କଳରବେ ଥରୁଛି ଘର
ନାଚ ଗୀତ ଚାଲେ, ବସେ ବିଧା ପାହାର
ଏ ମୁଣ୍ଡରୁ ସେ ମୁଣ୍ଡକୁ ଧାଉଁଛି ନିଧି
ଦିନରାତି ଏହି ଭଳି ଯାଉଛି ବିତି
ମିଠା କେତେ ଲାଗେ ସତେ ସପନ ଏଇ
ପୂରା କରିବାକୁ ଦେବ ବାଧା ଦୂରେଇ
ସବୁ ଜମାପୁଞ୍ଜି ଖର୍ଚ୍ଚ କରି କିଣିବ
ସପନରେ ଦେଖୁଥିବା ଘର କରିବ
ଜମାରୁ ରହିବ ନାହିଁ କ୍ୱାଟରେ ଆଉ
ନିଜ ଘର ବନିଗଲେ ବଢିବ ଭାଉ
ଯେତେ ଯାହା ପାଖେ ଥିଲା ଧରି ହାତରେ
ନିଧି ବୁଲେ ରାଜଧାନୀ ରାଜପଥରେ
ବୁଲନ୍ତି ଦଲାଲ କେତେ ସହର ସାରା
ଜାଗା, ଘର, ସବୁ ତାଙ୍କ ପାଖରେ ଭରା
ପଇସା ଫୋପାଡ ବାବୁ ସବୁ ମିଳିବ
ରାଜଧାନୀ ଉପକଣ୍ଠେ ଘର ତୋଳିବ
ରେଜିଷ୍ଟ୍ରେସନ୍ କରି, ଦବୁ ପଟ୍ଟା ପାଉତି
ଦୌଡିବାକୁ ପଡିବନି ଅଫିସି ନିତି
ମଢ ଦେଖି ଶାଗୁଣାଙ୍କ ବଢିଲା ଭିଡ
‘ଆମେ ଦବୁ ..ଆମେ ଦବୁ..’ ଶୁଭେ ପ୍ରବଳ
ଆବା କାବା ନିଧି ଚାହେଁ ଚଉଦିଗକୁ
ସାକାର କରିବ କିଏ ତା’ର ସ୍ୱପ୍ନକୁ
ଅଣ୍ଟିରୁ ଖସେଇ ଥୋଇଲା ସବୁ ସଞ୍ଚୟ
କହିଲା, “ଦେ’ ଭାଇ ଗୋଟେ ସୁନ୍ଦର ସ୍ଥାନ
ଜୀବନଟା ଖଟି ଖଟି କରିଛି ଜମା
ଜାଗା ଦେଲେ କିଣିଦେବି ତୋ’ ପାଇଁ ଜାମା
ପାନଖିଆ ଦାନ୍ତ କାଢି ଦଲାଲ୍ ହସିଲା
କହିଲା ସେ, “କୋଉ ଯୁଗେ ଅଛ ଭାଇନା
ଏତିକି ପଇସେ ଯଦି ଜାଗା ମିଳନ୍ତା
ରାଜଧାନୀ ଗୋଟା ଦଲାଲ୍ କିଣି ପକାନ୍ତା
ଜାଗା କ’ଣ ଚାଳଘର ପାଇଁ ନିଅଣ୍ଟ
ରୁହ ସେହି କ୍ୱାଟରରେ, ଭୁଲି ଏ ବାଟ
ଚାହଁ ଯଦି ବୁଝିଦେବି ଫ୍ଲାଟ୍ ଗୋଟିଏ
ପାଇଖାନା, ଶୋଇବାଘର ଥିବ ଯୋଡିଏ
ଲାଗିଯିବ ସେଥିପାଇଁ ଆହୁରି ଟଙ୍କା
କିସ୍ତିରେ ଭରୁଥିବ ସଳଖି ଅଣ୍ଟା
ଜୁଳୁ ଜୁଳୁ କରି ଚାହେଁ ନିଧି ବିକଳେ
ଆବର୍ଜନା ଭରିଲା କେ ତା’ ପୋଖରୀ ଜଳେ
ସ୍ୱପ୍ନ ସବୁ ବାଟ ହୁଡି ଯାଉଛି କହି
ଏ ରାଜଧାନୀ ନୁହେଁ ଖଟିଖିଆଙ୍କ ପାଇଁ