କ୍ଷୁଧା
କ୍ଷୁଧା
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ଅଶରିରୀ-ରୂପେ ସମ୍ମୁଖେ ଦେଖି
ଚାଲ ହେ ଦୁର୍ବିନୀତ,
ଧ୍ୱସ୍ତ ଜନତା ତୁମରି ପରଶେ
ଜ୍ଞାନ ବିବେକ ନତ ।
କଲ୍ୟାଣେ ତବ ରକ୍ତ ପତାକା
ବଜାଏ ଶ୍ମଶାନ ଭେରୀ,
କଟାକ୍ଷେ ତବ ଅମଙ୍ଗଳ ରୂପେ
କଙ୍କାଳ ଉଠେ ଘେରି ।
ଭଇରବ ତବ ରସନା ସଦ୍ୟ -
ରକ୍ତ ପ୍ରଲେପ ଲିପ୍ତ,
ନିଥର ବିଶ୍ବେ ଅସ୍ଥିର କର
ପ୍ରକୃତି କର କ୍ଷିପ୍ତ ।
ଉଦୟ ଅସ୍ତ ଦିବସ ରାତ୍ରି
ନ ମଣ କାହାକୁ ତୁମେ,
ଦୁର୍ବାର ପରି ଐକେଶ୍ୱର ସମ
ରାଜ କଙ୍କାଳ ଭୂମେ ।
ପାଷାଣ ହୁଅଇ କଠିଣ ଆହୁରି
ପାଣିରେ ରକତ ଧାରା,
ପଲ୍ଲବହୀନ ମହୀରୁହ ଶାଖା
ଶୁଷ୍କ କଙ୍କାଳ-ଭରା ।
ତୁମରି ଶାସନେ ଅନଳ ସଲିଳ
ଅପୂର୍ବ ସମାବେଶ,
ସଙ୍ଗୀତ ସହ ହୁଙ୍କାର ଦିଅ
ଧର ମହାକାଳ ବେଶ ।
ରୁକ୍ଷ ଚରଣେ କରୁଣ ହୃଦୟ
ଦିଅ ମହାଦମ୍ଭେ ଦଳି,
ଫୁତ୍କାରେ ତବ ହେ ମହା ବୀଭତ୍ସ
ସାଗର ଉଠଇ ଜଳି ।
ସାମ୍ୟ ନୀତିରେ ଜଳାଅ ପ୍ରଦୀପ
କାହାକୁ ନ ମଣ ବଡ଼,
ଅଖିଳ ଦୁଆରେ ତୁମରି ମଣିଷ
ବୁହାଏ ପ୍ରବଳ ଝଡ଼ ।
ମହା ଗୁରୁଭାର ବହିଛ ଅଙ୍ଗେ
କାହାର ଆଦେଶ ବକ୍ଷେ,
ପ୍ରଣମେ ତୁମକୁ ଦୟା-ଭାବ ରଖି
ନ ଆସ ମୋହର ପାଶେ ।
ସମାପ୍ତ