ସଞ୍ଜବତୀ
ସଞ୍ଜବତୀ
ଅନ୍ତୁଡି ନିଆଁରୁ ଯାଇ ଶେଷେ ଚିତା ନିଆଁ
ସେଥିପାଇଁ କୁହାଯାଏ ଏଇତ ଦୁନିଆ ,
ପିଲାଙ୍କର ଭବିଷ୍ୟତ ଦିବା ରାତ୍ର ଭାଳି
ନିଜ ସୁଖ ଦେଇଥିଲେ ଜୁଇ ପରେ ଜାଳି ।
ଅଳପ ପବନେ କିବା ମନ ଛାଏଁ ସରି
ପରିଣତ ଫଳଟିଏ ଝଡି ଗଲା ପରି ,
ଝଡିବାକୁ ଚାହିଁ ବାପା ଗଲେ କିବା ଥକି
ବସିଛନ୍ତି ଆଣ୍ଠୁ ପରେ ମୁହଁଟାକୁ ଜାକି ।
ବାଡି ପଟ ଝରକାରୁ ଦୃଷ୍ଟି କେବେ ରଖି
ଦେଖୁଥାନ୍ତି ସଞ୍ଜ ବେଳେ ବାହୁଡନ୍ତି ପକ୍ଷୀ ,
ଅପହଞ୍ଚ ଆଖିରେ କି ଖୋଜୁଥାନ୍ତି ମୋତି
ପାଇଯାନ୍ତି ମନ ଚାହାଁ ସରଗର ଜ୍ଯୋତି ।
ବହଳ ପରଳ ତାଙ୍କ ବେନି ଆଖି ତୀରେ
ପଥରର ବନ୍ଧ ଅବା ଅଶ୍ରୁ ନଦୀ ନୀରେ ,
ଆଜୀବନ ପିଇ ଗଲେ ଯେତେ ଅଶ୍ରୁ ଧାର
ମିଶିଗଲେ ମହୋଦଧି ମାନିଥାନ୍ତା ହାର ।
ପ୍ରଭାତେ ମୃଗୁଣୀ ସ୍ତୁତି ଉଚ୍ଚ କଣ୍ଠେ ରାମ
ଦଣ୍ଡେନାହିଁ କାଳ ଯମ ଧରି ଯେଉଁ ନାମ ,
ଅଙ୍ଗୁଳି ଟିପରେ ଧ୍ୟାନ ମୁଖେ ଗୁଣୁ ଗୁଣୁ
ରାମ ନାମ ଜପି ସରେ ଦିନ ଗଣୁ ଗଣୁ ।
କରନ୍ତି ମନ୍ଥନ ଯାହା ଦୁଃଖ ଜରା ବ୍ୟାଧି
କି କାରଣେ ନିଜକୁ ସେ ମଣି ଅପରାଧୀ ,
କଳହ ଉତ୍ପାତ କିଏ କରୁଥିଲେ ଘରେ
ବାହାର ମରୁତ ଲାଗେ ଝଡ଼ ରୂପ ଧରେ ।
ଅସଜଡା ଲୁଗାପଟା ଦେଖି ନଥିପତ୍ରେ
ସଜାଇ ରଖନ୍ତି ବାପା ଦାରୁ ମୂର୍ତ୍ତି ମତେ ,
ପଛକୁ ଫେରାଇ ମୁହଁ ଦେଖିବାର ନାହିଁ
ଖରା ଲେଉଟାଣି ବେଳ ଆସିଲାଣି ଛାଇ ।
ପରିବାର ହିତେ ସିନା ନିଯୋଗିଲେ ମତି
ଦଲକାଏ ବାତେ ଦିନେ ଲିଭେ ସଞ୍ଜବତୀ ,
ଧୂଆଁ ଗନ୍ଧ ପଶେ ଯେବେ ଛନକାଏ ଛାତି
ଶେଷନିଦ୍ରା ବରିନେଇ ଛାଡନ୍ତି ସେ ସାଥି ।
ପ୍ରସନ୍ନ କୁମାର ମାଦଳା