ଆରେ ରଙ୍କୁଣୀଧନ
ଆରେ ରଙ୍କୁଣୀଧନ
ସପନ ଦେଖି କି ଡରିଲୁ
ଆରେ ରଙ୍କୁଣୀଧନ ,
ଜାବୁଡ଼ି ଧରିକି କାନ୍ଦୁଛୁ
ହୁଏ ଅଥୟ ମନ ।
ଏଇ କେତେଦିନ ହେଲାଣି
ଆସେ ବିପଦ କେତେ ,
ରଖିଛନ୍ତି ପରା ସେଥିରୁ
ପ୍ରଭୁ ଉଦ୍ଧରି ତୋତେ ।
ଲୋମ ବଙ୍କାହେଲେ ତୋହର
ମୋର ଥରଇ ପ୍ରାଣ ,
ରିଷ୍ଟ ଖଣ୍ଡିବାକୁ କରଇ
ନାନା ଉପାୟ ମାନ ।
ଗୋରୋଚନା ଚିତା ଲଗାଇ
ଦିଏ ଗୋ-ଲାଞ୍ଜେ ଝାଡ଼ି ,
ପଡ଼ିଥିବ ଯଦି କୁଦୃଷ୍ଟି
ତାହା ଯିବାକୁ ଛାଡ଼ି ।
ଗୋରସ ତ ନିତି ପିଆଏ
ତନୁ ହେବାକୁ ସୁସ୍ଥ ,
ଗୋଶାଳାକୁ ପୁଣି ନିଅଇ
ତହିଁ ସମସ୍ତ ତୀର୍ଥ ।
ତୁଳସୀ ଜଳରେ ତୋତେ ମୁଁ
ନିତି ଗାଧୋଇ ଦିଏ ,
ଏତେ ପରେ ତୋତେ ବାପରେ
ଆସି ଡରାଏ କିଏ !!
ଶୋଇପଡ଼ ଧନ ଆରାମେ
ଜଗି ବସୁଛି ତୋତେ ,
ଉଠିଲେ ଖାଇବୁ ଦେବିରେ
ସର,ଲବଣୀ କେତେ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।