କାଚଘର
କାଚଘର
ପ୍ରଶାନ୍ତ କୁମାର ମହାପାତ୍ର
ହାପ୍ ପେଣ୍ଡ ପିନ୍ଧି, ଛାତି ଖୋଲି
କୋଟି କୋଟି ଯୋଜନା କରାଯାଇ ପାରେ l
ଇଶ୍ଵରଙ୍କୁ ବଳଦ କରି ହଲ ମଧ୍ୟ କରି ହୁଏ,
ଅମୃତ ଭଣ୍ଡାର ନାଡରେ ବି
ସମୁଦ୍ରର ସବୁତକ ଜଳ ସୋଷିଦେଇ ହୁଏ l
ତମେ କହିଲ କ’ଣ ନା !
ଚାଲ ଦୁହେଁ ମିଶି, କାଚଘର ଟିଏ ଗଢିବା l
ଆମ ସମ୍ପର୍କକୁ ଅଠା କରି ଯୋଡିଦେବା
କାଚ ସବୁ, ଫେବିକଲ୍ ଦରକାର ନାହିଁ,
ପେନସିଲ୍ ରେ ଝରକା ଓ କବାଟ ଲଗାଇ
ଲାଇଟ୍ ଜାଳିବା, ମୋ କପାଳରୁ ଟିକିଲି ନେଇ l
ଘର ହେଲା, ଝରକା କବାଟ ସହ
ଲାଇଟ୍ ଜଳିଲା....
ଲଫଙ୍ଗା ଟୋକାଙ୍କ ଭଳି ହୁଇସିଲ୍ ବଜାଇ
ହଠାତ୍ ତୁମ ପାଇଁ ଟ୍ରେନ୍ ଆସିଗଲା l
ଲମ୍ବା ରାସ୍ତା – କଳା ମେଘର ରାତି,
ପଥରଙ୍କ ଜଙ୍ଗଲ, ଖାଲି ପାଦରେ ମୁଁ,
କେତେ ବା ଧାଇଁବି ?
କେମିତି ବା ଅଟକାଇଦେବି ? ?
ବନ୍ଧୁ ତୁମେ ଚଢିଗଲ ଗଛ ଉପରେ
ମୁହଁ ସଞ୍ଜବେଳେ,
ମୋତେ କହି ଗପ କରିବାକୁ, ଭାଲୁ ସହ-
ଏକୁଟିଆ, ଗହଳ ଆମ୍ବ ତୋଟାରେ l
ଚୈତନ୍ୟଙ୍କ ଭଳି କୀର୍ତ୍ତନ ଶିଖାଇ
ତମେ ଫେରିଗଲ ପରମାନନ୍ଦରେ,
ମୁଁ ଏଇଠି ଭଜୁ ଅଛି, ହରେ କୃଷ୍ଣ-
ହରେ ରାମ, ମୃଦଙ୍ଗ ବଜାଇ l