ଝାଞ୍ଜି
ଝାଞ୍ଜି
ସାରା ରାତି
ମୋ ଉପରେ ଘୁରୁଥାଏ ପଙ୍ଖା
କେତେବେଳେ ପଙ୍ଖାର ଡେଣା
ବନ୍ଦ ହେଲେ
ମୁଁ ବାରବାର ଲେଉଟାଏ କଡ଼
ପୁଣି ଚାଲେ ପଙ୍ଖା
ରାତି ତମାମ୍,
ସେ ପଙ୍ଖା ଥମେନି/କମେନି
ନଥାଏ ବି ଛାତରେ,
ଏ ପଙ୍ଖା ଘୁରୁଥାଏ
ମୋ ବୋଉ ହାତରେ
ତମାମ୍ ଖରା ରାତି
ବିଜୁଳି ମୁଁ ଦେଖିନାଇ
ପଙ୍ଖା ସ୍ବାଦ ଚାଖିନାଇ
ଜିଦି କଲେ
ବୋଉ କୁହେ,
ତୁ ଆଗେ ବଡ ହ....
୨୫ ରଖି ୫ କହ
ହିସାବରେ ଚାଲୁଥା...
ଦିନ ତମାମ୍ ଖରାଖିଆ ବୋଉ
ବଳେଇ ବଳେଇ
ଗୁଞ୍ଜେ ହାଣ୍ଡି ତଳେ
ପଡିଥିବା ଶେଷ ମୁଠା ପଖାଳ
କାଳେ ନିଉଛୁଣା ଅଶୁଘାତ
ଘାତିବ ମୋତେ,
ତା ପେଟରେ ପେଟେ ଭୋକ
ଥୋକେ ପାଣି
ମୋ ଠୁ ବଳକା
ବେଲାଏ ତୋରାଣୀ,
ଖରା ହଜମକଳା
ଝାଳ ଶୋଷା ଦେହ
ଅଶୁଘାତ ପ୍ରତିବାଦ
ଭୋକକୁ ଥାପଡ୍
କୋରଡ ଆଖିରେ
ଗଛେ କୃଷ୍ଣଚୂଡା ସ୍ବପ୍ନ,
ସବୁ ମୋ ବୋଉର ନିଜସ୍ବ
ବେଳେବେଳେ ମାଗିଛି
ମୋତେ ଦେ ଟିକେ,
ବୋଉ କୁହେ ବଡ ହ'
ପାଇଯିବୁ ଉତ୍ତରାଧିକାରୀ ସୂତ୍ରେ,
ସେଦିନ ରାଗର ବଦ୍ ଲା ନେଲା
ବୋଧେ ଖରା
ଆଜିକାଲି ବୋଉ ଦେହ
ଚରେ ଖରା
ଊଇପରି
ଚର୍ ଚର୍,
ପଡିଶା କେହି କହେ ଯଦି
ତମ ରୁମ୍ ପରି
ସିଡି ତଳ ରୁମ୍ ରେ ବି
ଲଗଉନ ଏସି,
ବୁଢିଟା ଶୋଉଛି,
ସାରା ଜୀବନ ଖରାରେ ଖଟିଛି,
ମୁଁ କିଛି କହିବା ଆଗରୁ
ବୋଉ କୁହେ,
ନା ନା....
ଆଜିକାଲି ଦରମା ପା
ଖର୍ଚ୍ଚକୁ ନିଅଣ୍ଟ.....ଏ
ମହରକ ଦୁନିଆରେ
ଝିଅ ମୋର ହଇରାଣ ହଉଛି...
****ନର୍ମଦା ସାହୁ****