ଏବେର ମାଆ
ଏବେର ମାଆ
ବିଚିତ୍ର ଲାଗଇ ଏବେର ମାଆକୁ
ଶୟନେ ସପନେ ଭାବି ।
ଶୁଖିଯାଏ ଦକ୍ଷ କବିର କଲମ
ଭାଳି ତାର ଶୂନ୍ୟ ଛବି।
ନିଷ୍ଠା ହୋଇଲାଣି ଜିଦ୍ ରେ ଅଟଳ
ତ୍ୟାଗଚାଲେ ଭୋଗବାଟେ ।
ସେବା ଚାହୁଁଅଛି ଆଜିର ମାଆଟା
ଅଧର୍ମର ଚଲାବାଟେ।
ସଂରକ୍ଷଣ ଭୁଲି ଆରକ୍ଷଣ ପ୍ରାୟ
ପ୍ରଜନନ ନିଶା ଶୁଷ୍କ ।
ଆତ୍ମ ସମ୍ମାନ ତା ବାହୁନି କାନ୍ଦୁଛି
ଲଜ୍ଜା ଶୂନ୍ୟ ତା ଶ୍ରୀବାକ୍ସ।
ଶୁଶ୍ରୂଷା ତା ପାଖେ ହତାଶା ହେଲାଣି
ସାହାଯ୍ୟ ବନେ ଅନାର୍ଯ୍ୟ ।
ଦୟା କ୍ଷମା ପୁଣି ଭିକ୍ଷା ମାଗିଲାଣି
ଅମହତ ତାର କାର୍ଯ୍ୟ।
ହଜିଯିବ ବୋଲି ତା ସୌନ୍ଦର୍ଯ୍ୟ ଶୋଭା
କରେନା ତା ସ୍ତନ୍ୟପାନ ।
ଶାଢୀ ଧଡି ପିନ୍ଧା ଭଲ ଲାଗେନାହିଁ
ଜିନ୍ସ ଟପ୍ ରେ ତା ମନ।
ଶଙ୍ଖା ଚୁଡି ତାକୁ ଲାଗେନାହିଁ ଭଲ
ପିନ୍ଧେ ବିଧବାର ଖଡୁ ।
ବିବାହିତା ବୋଲି ନ ଜଣାଏ ବାଳେ
ଠାକୁର ସିନ୍ଦୁର ମାଡୁ।
ସନ୍ତାନ ଭୋକ ତ ବୁଝେନା ସେ କେବେ
ଗେପେ ତଣ୍ଟିଯାଏ ଭରି ।
ପୁଅ ଝିଅ ପାଇଁ ସମୟ ଦିଏନା
ସ୍ମାର୍ଟ ଫୋନ୍ ନିତି ଧରି।
ସକାଳୁ ଉଠେନା ଅଲଟ୍ରା ମଡର୍ଣ୍ଣ ସେ
ଭୁଲେ ତାର ଦିନଚର୍ଯ୍ୟା ।
କର୍ମଠ ହେବା ତା ଜାତକରେ ନାହିଁ
ଦିବା ନିଶି କୁମ୍ଭଶଯ୍ୟା।
କେଶ ସଜ୍ଜା କାଳେ ଅଡୁଆ ହୋଇବ
ଦିଏନା ମୁଣ୍ଡରେ ଓଢଣା ।
ବାର୍ ପାର୍ଟି ଡ୍ୟାନ୍ସ ମଦ କରି ସାଥି
ଭୁଲେ ଅପବାଦ ଲାଞ୍ଛନା।
ଛୁଆ ବଡ ବେଳେ ହୁଏସେ ଫେସନ୍
ନିଜତ୍ୱ ମାତୃତ୍ୱ ଭୁଲି ।
ଷୋଡଶ ଯୁବତୀ ଭାବେ ସେ ଡାଆଣି
ସ୍ଥାନ କାଳ ପାତ୍ର ଭୁଲି।
ଅତିଥି ସତ୍କାର ହେୟ ଜ୍ଞାନ କରେ
ସ୍ୱୟଂ ସେ ବନେ ଅତିଥି ।
ଶିଷ୍ଟାଚାର ନାହିଁ ଦୁଷ୍ଟାଚାର ସାର
କୁଶିକ୍ଷା ତାହାର ସାଥି।
ସନ୍ତାନ ପାଇଁ ତା କାନ୍ଦେନା ପରାଣ
କାନ୍ଦେ ସନ୍ତାନ ତା ପାଇଁ ।
ସଂସ୍କୃତି ସଂସ୍କାର କ୍ଷୟ କରି ଧାଏଁ
କଳଙ୍କ ମା ଜାତି ପାଇଁ।
କ'ଣ ବା ଶିଖିବ ଏବେର ମା'ଠୁ
ଆଜି ଏ କୋମଳ ଛୁଆ ।
ରାମ ରାଜ୍ୟ ସ୍ୱପ୍ନ ରାବଣେ ପୁରୁଛି
ବାହୁନି କାନ୍ଦେ ଦୁନିଆଁ।
ଆଜିର ମା'ତ ମା ଭାବୁନାହିଁ
ଭାବୁଛି ମିସ୍ ମ୍ୟାଡାମ ।
ତଥାପି ସୁବୁଦ୍ଧି ପଶୁ ତା ହୃଦୟେ
ତାଙ୍କୁ ମୋ ଶହେ ସଲାମ୍।