ଶୀତ
ଶୀତ
ନାହିଁ ମୋ ପାଖରେ ଶୀତ ବସ୍ତ୍ରଟିଏ
ଅଥବା କମ୍ବଳଟିଏ ।
ସେଇଥି ପାଇଁ ତ ଶୀତ ଆସି ମୋତେ
ସହଜେ ଡରେଇ ଦିଏ ।
ଥରୁଥାଏ ଗୋଡ କମ୍ପୁଥାଏ ଦେହ
ଥୁରୁ ଥୁରୁ ହୁଏ ହାତ ।
କେଉଁଠୁ ପାଇବି ଶୀତ ବସ୍ତ୍ରଟିଏ
ମୁଁ ଏକ ଗରିବ ମାତ।
କାଖେଇକି ଏକ ଦି ମାସର ପୁଅ
ବସିଛି ଗାଆଁ ଦାଣ୍ଡରେ ।
ରାତ୍ରି ଯେ ଅନେକ ଆଖି ନାହିଁ ନିଦ
ରହିଛି ମୁଁ ଅପେକ୍ଷାରେ ।
ଚିରା ଶାଢୀଟିର ଚିରା ପଣତରେ
ଢାଙ୍କିଛି ପୁଅକୁ ମୋର ।
କୁଇଁ କୁଇଁ କରି ରାତି ପାହିଯାଏ
ଶୁଣି ବହେ ଲୁହ ଧାର।
ଆସିବକି ସେହି ସକାଳ ସୂରୁଯ
ଧରି ଯେ କଅଁଳ ଖରା ।
ଅନ୍ତତଃ ଦିନରେ ଭୋଗିବିନି କଷ୍ଟ
ଭୋଗେ ପଛେ ରାତି ସାରା ।
ଦୁଃଖିନୀ ମାଆଁ ମୁଁ ଦୁଃଖରେ କହୁଛି
ଶୀତ ତୁଇ ଯାଆ ଚାଲି।
ବସନ୍ତ କୁ ଟିକେ ଦେ ଲୋ ପଠେଇ
ଏତିକି କରୁଛି ଅଳି ।
ନାହିଁ ମୋର ଘର ନାହିଁ ମୋର ଦ୍ବାର
ମୁଣ୍ଡ ଗୁଞ୍ଜିବାକୁ ଟିକେ ।
ଏତେ ବଡ ଶୀତ ସହିତ ପାରୁନି
ଯଦିବା ବଞ୍ଚୁଛି ଭୋକେ ।
ଗରିବର ଡାକ ଶୁଣିଯା ଟିକେ
ଯାଆ ତୁ ସହଳେ ଚାଲି ।
ପୁଅ ମୋର ପାଖେ ଶୀତ ବସ୍ତ୍ର ପାଇଁ
କରିବନି ଆଉ ଅଳି ।