ହେ ନାରୀ,ନାମସ୍ୟ
ହେ ନାରୀ,ନାମସ୍ୟ
କେତେ ନାରୀଙ୍କୁ ତୁ ସୁନ୍ଦରୀ କହୁଛୁ
ନାରୀ ମାତ୍ରକେ ତ
ମହା ସୁନ୍ଦରୀ ।
ମମତାରେ ଭରା ପଣତକୁ ନେଇ
ସଜେଇ ଥାଏ ସେ
ଘର ତୋହରି ।
ତୋ'ଆଖି ସପନ ତା'ପାଇଁ ନିର୍ବାଣ
ପୁଣ୍ୟ ପାଲିଙ୍କିରେ
ତୋତେ ଝୁଲାଏ ।
ଶୟନେ ସପନେ ସହାସ୍ୟ ନୟନେ
ତୋ'କୃତ କର୍ମର
ଲୁହକୁ ପିଏ ।
ତା'କୋଳରେ ତୋର ଜୀବନ ସଂଚରେ
ତା ହାତ ପରଶେ
ତୋ'ଓଠ ହସେ ।
ସେ ଏକ ଝରଣା ନିର୍ବାକ ଭାବନା
ହସରେ ତାଆରି
ମହୁ ବରଷେ ।
ବୀଣାପାଣି ରୂପେ ବୀଣାର ଝଙ୍କାରେ
ବିଦ୍ୟା ପୀୟୂଷକୁ
ଦିଏ ସେ ଢାଳି ।
ଲକ୍ଷ୍ମୀର ରୂପରେ ନିତ୍ୟ ବାସ କରେ
ନିର୍ଯାସରେ ତୋର
ହୋଇ ସଙ୍ଖାଳି ।
ମହିଷ ମର୍ଦ୍ଦିନୀ ହୋଇ କାତ୍ୟାୟିନୀ
ଜୀବନରେ ତୋର
ଶତ୍ରୁ ସଂଘାରେ ।
ସୁଭଦ୍ରା ଭଉଣୀ ରୂପ ସୁହାସିନୀ
ଦୀର୍ଘ ଜୀବନର
କାମନା କରେ ।
ବସୁଧା ମାଆ ଟି ରୂପ ଗୁଣବତୀ
ଜୀବନଟା ସାରା
ତୋତେ ପାଳିଲା ।
ସର୍ବାଙ୍ଗ ସୁନ୍ଦରୀ ନାରୀ ଆଉ ନାରୀ
ସୁନ୍ଦରେ, ସୁନ୍ଦରେ
ସୁଖ ବାଣ୍ଟିଲା ।
ତ୍ରିବେଣୀ ତୀର୍ଥ ସେ ପୁଣ୍ୟ ପରମ୍ପରା
ଧ୍ରୁବ,ଚିରନ୍ତନୀ
ବୈଦିକ ରୀତି ।
ତୁଳସୀ ରୂପରେ ଈଶ୍ୱର ଗଳାରେ
ଶୁଭ୍ରା,ସୁଶୋଭିତା
ବେଦ ସଂସ୍କୃତି ।
ହେ ନାରୀ,ନାମସ୍ୟ ! ବୈଦିକ ସର୍ବସ୍ବ
ବନ୍ଦନୀୟ ତୁମେ
ସାରା ବିଶ୍ୱରେ ।
ଧର୍ମରେ ଧର୍ମରେ ସତ୍ୟରେ ସତ୍ୟରେ
ପୃଷ୍ଟିରେ ନିଷ୍ଠାରେ
ସମ୍ବିଧାନରେ ।