ଗୋଟିଏ ଶୋକସଭାର ଦୃଶ୍ୟ
ଗୋଟିଏ ଶୋକସଭାର ଦୃଶ୍ୟ
ସହରର ଜଣେ ନାମୀ ଦାମୀ ଲୋକ
ଚାଲିଗଲା ସ୍ୱର୍ଗପୂରେ
ସକାଳ ପହରୁ ମନ୍ତ୍ରୀ ଠାରୁ ତନ୍ତ୍ରୀ
ଠୁଳ ହେଇଛନ୍ତି ଘରେ ।
କିଏ ସେ ଆସିଛି ଅଗାଧୁଆ ବେଶେ
କିଏ ବା ନକାଟି ଦାଢି
ଆଉ କିଏ ଫୁଲ୍ ମେକଅପ୍ ରେ ଆସିଛି
ପିନ୍ଧି ଝିଲିମିଲି ଶାଢି ।
କିଏ ସେ କାନ୍ଦୁଛି ଭଲଲୋକ କହି
କେ’ ବସିଛି ମାରି ମନ
କେ’ ବସିଛି ଚାହିଁ ମିଡିଆ ଆସିଲେ
ଆକର୍ଷିବ ତା’ର ଧ୍ୟାନ ।
କୁମ୍ଭୀର କାନ୍ଦଣା କାନ୍ଦି କାନ୍ଦି କିଏ
କହୁଛି କୁଆଡେ ଗଲେ
ଏତେ ଧର୍ମ କର୍ମ କରିବା ଲୋକଟା
ଅସମୟେ ହଜିଗଲେ ।
ମନ୍ତ୍ରୀଙ୍କ ମୁଖରେ ପ୍ରଶଂସାର ଢେଉ
ଉପକାରୀ ବନ୍ଧୁଟିଏ
ଦେଶ ପାଇଁ ଧନ ଜନ ଅର୍ପିବାକୁ
ସୁଖ ପାଉଥିଲା ସିଏ ।
ତା’ ବିନା ଅନ୍ଧାର ହୋଇବ ଜଗତ
କେ’ ବୁଝିବ ଦୀନ ଦୁଃଖ
କିଏ ସେ କରିବ ଦୁଃଖୀ ରଙ୍କି ସେବା
ତ୍ୟାଗୀ ଦେଇ ନିଜ ସୁଖ ।
କିଏ ଭାବେ ମଲା ରବିବାରଟାରେ
ନଷ୍ଟ କଲା ପୂରା ଦିନ
ଖବରକଗଜ ପଢିନି ସକାଳୁ
ଖାଇନି ବି ଖଣ୍ଡେ ପାନ !
ଚାହା କପ୍ ଥଣ୍ଡା ହେଉଥିବ, ଫୋନ୍
ବାଜୁଥିବ ଘଡି ଘଡି
ସକାଳୁ ମାଉଁସ ଆଣି ପାରିନାହିଁ
ପତ୍ନୀ ଛାଡୁଥିବେ ରଡି !
କାର୍ଯ୍ୟ ଦିବସରେ ମରିଥାନ୍ତା ଯଦି
ମିଳିଥାନ୍ତା ଗୋଟେ ଛୁଟି
ଏମିତି ଦିନରେ ମଲା, ମନ କୁହେ
ଦିଅନ୍ତି ଦି’ଅଣ୍ଡା କୁଟି !
ଶ୍ମଶାନ ଭୂଇଁରୁ ଫେରିଲା ବେଳକୁ
ସନ୍ଧ୍ୟା ଯାଇଥିବ ହୋଇ
ଯିବା ଲୋକ ଗଲା, କାହିଁ ସାରିଦେବା
ପୂରା ଦିନ ତା’ର ପାଇଁ ?
ସନ୍ଧ୍ୟା ଯାଏ ଏଠି ଅଧ୍ୟା ପଡିବାକୁ
ଧୈର୍ଯ୍ୟ ମୋର ପାଉନାହିଁ
ଠିଆହେଲେ କୋଉ ଫେରି ବା ଆସିବ
ଯାଇଛି ଯିଏ ଉଭେଇ !
ତଥାପି ଏଠାରୁ ଯାଇହେବ ନାହିଁ
ପାଇବାକୁ ବାଧ୍ୟ ଦଣ୍ଡ
କଷ୍ଟ ଯେତେ ହେଉ ସମସ୍ତଙ୍କ ସାଥେ
ହେବାକୁ ପଡିବ ରୁଣ୍ଡ !
ମନ୍ତ୍ରୀଙ୍କର ସିଏ ଆପଣାର ଥିଲା
ତେଣୁ ଯାଇ ହେଉନାହିଁ
ତାଙ୍କ କୃପାଦୃଷ୍ଟି ପାଇବାକୁ ବୋଲି
ଲୁହ ଢାଳିଚାଲ ଭାଇ !
ଆଗକୁ ଆସୁଛି ପ୍ରମୋସନ ଝଡ
ମନ୍ତ୍ରୀଙ୍କ ହାତରେ ଅଢା
ସେ ଝଡୁ ଫାଇଦା ଚାହୁଁଅଛ ଯଦି
ବେଗେ ବେଗେ ହାତ ବଢା !
ମୃତ ଆତ୍ମାର ସଦଗତି ପାଇଁ
ମନ୍ତ୍ରୀ ଛାଡନ୍ତି ଭାଷଣ
ଆଖି କାନ ବୁଜି ହେଇଗଲେ ସୁଦ୍ଧା
କାନ ଲଗେଇକି ଶୁଣ ।
ଭାଷଣ ସରିଲା, ଫେରିଗଲେ ମନ୍ତ୍ରୀ
ଚାଲିଲେ ମିଡିଆବାଲା
ଲୁହ ପୋଛିଦେଇ ଲେଉଟାଣୀ ପଥେ
ଲୋକେ ହେଲେ ଠେଲାପେଲା ।
ସବୁ ଭାବପ୍ରୀତି ପଛେ ଥୋଇଦେଇ
ଯେଝା ବାଟେ ଯେଝା ଗଲେ
ଶୀଘ୍ର ସରିଗଲା ଶୋକସଭା ବୋଲି
ବଡ ମୁଣ୍ଡିଆ ମାରିଲେ ।
କୋକେଇ ଉପରେ ଶୋଇଥିବା ଲୋକ
ହସୁଛି ଦାନ୍ତ ନିକୁଟି
କେତେ ଦିନ ଆଉ ଠେଲା ପେଲା ହେବ
ଦେଖିବି ବସି ସେଇଠି !
ମୋର ଦିନ କାଳ ସରିଗଲା ଏବେ
ଆସିବ ତୁମର ଦିନ
ଆଜି ଯାହା କଲ ମୋ ପାଇଁ ଶ୍ରଦ୍ଧାରେ
କରିବେ ସର୍ବେ ସେଦିନ !