ପ୍ରୀତି ମନ୍ଥନ
ପ୍ରୀତି ମନ୍ଥନ
ମୋ ହୃଦୟ ବେଳାଭୂମିରେ
ଆଜି ବି ଠିଆ ହେଇଛି
ଆମ ଦରଭଙ୍ଗା ପ୍ରୀତି ବାଲି ଘର
ନା ତାକୁ ଧୋଇ ନେଇଛି ସାଗର
ନା ଉଡେଇ ନେଇଛି ମରୁତ
ନା କିଏ ଥାପି ନି ତ ପାଦ
ଆଜି ବି ତ ଠିକ ସେମିତି
ଠିଆ ହେଇଛି ସେ
ଯେମିତି ଆମେ ଗଢିଥିଲେ
ପ୍ରତିଟି ବାଲୁକା ରେଣୁରେ
ବିଶ୍ୱାସ ଆଉ ଭରସାର ଆସ୍ତରଣ ଦେଇ ।
କିନ୍ତୁ
ଆଜି ତ ଭୁଷୁଡ଼ି ପଡିଛି ସେଇ ବିଶ୍ୱାସ
ହରାଇ ସାରିଛି ସେ ଭରସା
ରହି ଯାଇଛି କୋଉ ଗୋଟେ ଅତୀତ ପୃଷ୍ଠାରେ
କ୍ଷୁଦ୍ର ଏକ ସ୍ମୃତି ସାଜି
ରହିଥିବ ମଧ୍ୟ ଠିକ ସେମିତି
ଯେମିତି ଥିଲା ଆଉ ରହିଛି ।
ତଥାପି ଆଜି କାଇଁ ମୋ ହୃଦୟ ସାଗରରେ
ଆରମ୍ଭ ହୋଇ ସାରିଛି ଗୋଟେ ମନ୍ଥନ
ଠିକ ଦେବାସୁର ପରି
ଅତୀତ ଆଉ ବର୍ତ୍ତମାନର ମଧ୍ୟରେ
ସମୟର ବସୁକିରେ ସ୍ମୃତିର ମନ୍ଦର ପର୍ବତେ
ଅମୃତ ନିର୍ଯ୍ୟାସର ଆଶା ନେଇ
ପିଇ ଚାଲିଛି ବିଷ ତକ
ନୀଳକଣ୍ଠ ନିଜକୁ ସଜେଇ ।