ଘର
ଘର
ଝରିଯାଅ ରକ୍ତମାନେ ଝର ଝର
ନଭଶ୍ଚୁମ୍ବୀ ମୀନାରଟେ ଗଢିବାର ଅଛି
ପ୍ରେମିକାର ସ୍ମୃତିରେ
ଝାଳମାନେ ଝରିଯାଅ ଯଦିବା ଭାବୁଛ
ସଂଧ୍ୟା ଆଗମନ
ଲୋଡା ନାହିଁ ବିଶ୍ରାମ ମୋହର
ଚାଲୁଥାଅ ସତ ଓ ସ୍ୱପ୍ନରେ ।
ବଳିଦାନ କହିଲେ ବଞ୍ଚି ରହିବା
ବିକ୍ଷିପ୍ତ ଇଛାମାନଙ୍କୁ ଆଣି
ସାଇତି ଦେବା କାନ୍ଥ ଥାକ ଓ ବାଲକୋନୀର
ଫୁଲଦାନୀରେ, କିମ୍ବା କାହାର ମନରେ
ବିତୃଷ୍ଣା କି ପ୍ରେମରେ, ଜୀଇଁ ରହିବା
ଯୁଗବତ୍ ଉନ୍ମୁକ୍ତ ଉଛ୍ବାସ ହେଉ
ନଚେତ ଜରାଜୀର୍ଣ୍ଣ ବତୀଖୁଣ୍ଟଟିଏ ପରି
ସାଗର କୂଳରେ ।
କିଏ ଜାଣେ କୋଉ ପୃଷ୍ଠର ଏ ପରାକାଷ୍ଠା
କିମ୍ବା କେତେ ପରୀକ୍ଷାର ଏ ନିଷ୍ଠା
କିଏ ହୁଏତ କହିପାରେ ଆହା !!! ବ୍ୟଭିଚାରୀ ...
ହୁଏତ ବି କିଏ କହିପାରେ ହେଇତ ଆସିଲେଣି
ଯା'ର ଲାଗି କୃତ କୃତ ମୁଁ
ମୋ ପ୍ରାଣ ମୁରାରୀ ।
ଏତିକି ତ ଲୋଡା ମୋର ପ୍ରାପ୍ୟ
ପହଡ ପହଡ ପଛେ ମୁର୍ଛା ଯାଉ
ମନତଳ ମରମୀ ମଣିଷ
ଧର୍ମ ପଛେ ଧୋଇ ନେଉ
ସମାଜର ଅଂହକାରୀ ଶୋଷ
ମୋର ଆଜି ଘରଟିଏ ଲୋଡା
ମୋ ନିଶ୍ୱାସେ , ଦେଖିବି ମୁଁ
ହୋଇଥିବ ଗଢା
ଅନେକ ଦିନ ପରେ କେହି ଯଦି ଖୋଜି ଆସେ ମତେ
ଦେଖିବ ସେ ନହବତ ସୁଖଟିଏ ହୋଇ
ସେ ଘର ଦୁଆରେ ମୋ ଓଠରେ ହସୁଥିବ
ନାଲି କୃଷ୍ଣଚୂଡା ।