ପ୍ରେମର ଆୟୁଷ କେତେ
ପ୍ରେମର ଆୟୁଷ କେତେ
ରବି ଅନୁରାଗେ
ସେ ରୂପସୀ କଳିକା
ନିଶାନ୍ତେ ଉଷାର ପାଇଁ
କରଇ ପ୍ରତୀକ୍ଷା ।
ଜାଣେ ଆୟୁ ତାର
କେତେ ବା କାଳର
ଅବଶ୍ୟ କେ ତୋଳିନେଇ
ଗୁନ୍ଥିଦେବ ହାର
ଅବା କେଉଁ ମଦମତ୍ତ
ରସିକ ଭ୍ରମର
ଭୁଞ୍ଜିବ ଯୌବନ ମଧୁ
ଲଂଘି ପ୍ରେମ ପାରାବାର ।
କେତେ ଅବା ଅନ୍ତେ
ହୋଇ ଉପେକ୍ଷିତା
ହସି ହସି ଝଡି ଯାନ୍ତି
ଶେଷ ହୁଏ ଜୀବନ ନାଟିକା
ପ୍ରଭାତରେ ହସୁଥିବା
ଫୁଲ କୁ ଦେଖିଲି
ପ୍ରେମ ର ଆୟୁଷ କେତେ
ତାକୁ ପଚାରିଲି
ହସି ହସି ମୋତେ ସିଏ
ଦେଲା ଯେ ଉତ୍ତର
କ୍ଷଣ ଜନ୍ମା ସିନା ପ୍ରେମ
ଆୟୁଷ ଅମର
ଲୋଡ଼ା ନାହିଁ ତନୁ ସ୍ପର୍ଶ
ଚିର ଆୟୁ କାଳେ
ଆତ୍ମାର ମିଳନ ନିତ୍ୟ
ପ୍ରେମୀ ପ୍ରେମ ବଳେ ।
ଲଭେ ଅବା ବିଭୁ ପାଦ
ଅବା ମଉଳେ ବୃକ୍ଷରେ
ଲୁଟି ନେଲେ ନେଉ ମଧୁ
ମଧୁପ ପୀରତି ଛଳରେ
ଜାଣେ ମୋର ଚିତ୍ତେ ବାସ
ଏକା ଦିନକର
ସେ ପାଇଁ ମୁଁ ହସେ ସିନା
ନିତ୍ୟ ବାରମ୍ବାର
© ଶାରଦା ପ୍ରସାଦ ପରିଡ଼ା