ରଥ, ପଥ, ଜଗନ୍ନାଥ
ରଥ, ପଥ, ଜଗନ୍ନାଥ
ସମସ୍ତେ ରଥ, ପଥ, ଜଗନ୍ନାଥରେ ବ୍ୟସ୍ତ
ଆଉ ମୁଁ
ଦେହକୁ ଦେହୀରେ ଯୋଡ଼ିବାରେ,
ଚୁପ୍ ଚାପ୍ ବସିଛି, ମୋ ଆୟତ ବାଲକୋନୀରେ....
ଯେଉଁଠୁ ଦିଶେ ନୀଳ କନ୍ଦର ଭିତରେ ଭକ୍ତିରେ ଲୀନ ବିଶ୍ଵାବସୁ ଶବର,
ଯେଉଁଠୁ ଶୁଭେ ଚୈତନ୍ୟର କୃଷ୍ଣ ନାମ ତାଳେ ତାଳେ ଶ୍ରାବଣର ନୂପୁର,
ଯେଉଁଠି ଏକାକାର ହୁଅନ୍ତି ଧରଣୀପେନୁ ଓ ନଭମଣ୍ଡଳର କଳା ଘୁମର,
ଯେଉଁଠି ଥମିଯାଏ ଜୀଇଁବାର ଅହନିଶି ଶୋଷ, ମରିବାର ମର୍ମଦୁନ୍ତ ଡର ।
ସମସ୍ତେ କାୟା, ମାୟା, ଛାୟାରେ ବ୍ୟସ୍ତ
ଆଉ ମୁଁ
ନିକାଞ୍ଚନ ନିରବତା ଖୋଜିବାରେ,
ଚୁପ୍ ଚାପ୍ ସାଜିଛି, ସାକ୍ଷୀ ମୋ ନିଜସ୍ଵ ଅସ୍ତିତ୍ଵରେ....
ଯେଉଁଠୁ ସମାଜର ଅକ୍ଷର ସବୁ ଝାପସା, ସ୍ପଷ୍ଟ ଦିଶେ ନାହିଁ ମଲାଟର ଉପର,
ଯେଉଁଠୁ କାକଳିର ତଲ୍ଲୀନ ସ୍ଵର ଆଗେ ସବୁ ଫିକା, ଶୁଭେ ନାହିଁ ମାନବତାର,
ଯେଉଁଠି ବିଚ୍ଛିନ୍ନ ହୁଅନ୍ତି ତପସ୍ୟା ହଜାର ଓ ଗାରିମା ଜୀବାତ୍ମାର
ଯେଉଁଠି ଟଣା ପୂର୍ଣ୍ଣଚ୍ଛେଦ ସମସ୍ତ ଆକାଂକ୍ଷା, ପୂର୍ଣ୍ଣାଙ୍ଗ ମୋକ୍ଷର ।
ହୁଏତ ! ଏସବୁ ମୋ ପାଗଳାମି,
କିନ୍ତୁ ଏଠି କିଏ ପାଗଳ ନୁହେଁ ଯେ ?