ପରିବର୍ତ୍ତନ
ପରିବର୍ତ୍ତନ
ବାହା ମଣ୍ଡପରୁ ଯେବେ ଯାଏ ସେ ଶ୍ୱଶୁରଘର
ଅତି ଆପଣାର ସୁନା କଣ୍ଢେଇଟା ସେଦିନୁ ହେଇଯାଏ ସାତପର ।
ଲେଉଟାଣି ବେଳେ ଯେବେ ଆସେ ସିଏ ବାପଘର
ହାତ ଧୋଇ ନପୋଛେ ଆଉ ଦୁଆରେ ଝୁଲୁଥିବା
ଟଉଲିଆରେ ମୁହଁ ତାର ଆଗ ପରକାର ।
ସେବେଠୁ ହେଇଯାଏ ଝିଅଟିଏ ପରଧନ ପର
ଭୁଲିଯାଏ ନିଜ ରକ୍ତ,ସାଜୁଥାଏ ବାରମ୍ବାର ଦାସିଟିଏ ନିଷ୍ଠୁର ପରିସ୍ଥିତିର ।
ଅନାଵଶ୍ୟକୀୟ କଥା କହି କଥାରେ କଥାରେ
ଅଭିନୟ କରୁଥାଏ ଖୁସି ହେବାର
ଯିବାବେଳେ ଆଉଥରେ ଫେରିବାର ପ୍ରଶ୍ନରେ
ଉତ୍ତର ଦେଉଥାଏ ଅନାପେକ୍ଷିକ ସମୟର ।
ଲୁଚି ଲୁଚି କାନ୍ଦୁଥାଏ ଝରକା ଫାଙ୍କରେ
ମନେପକାଇ ସ୍ମୁତି ସବୁ ଅତୀତର
କେହି ଯଦି ଦେଖିଦିଏ, କଥାରେ ଏଡ଼େଇ ନିଜ ସାଥେ ଛଳ କରି ନିଜକୁ ଭୂଷିତ କରେ କର୍ମ ତତ୍ପର ।
ଜଣାନାହିଁ କେତେବେଳେ ବଦଳିଯାଏ ସବୁକିଛି ତାର
ବିନା ଚିନ୍ତାରେ ବଞ୍ଚୁଥିବା ପରୀଟି କେତେବେଳେ ହୋଇଉଠେ ଖୁବ ଚିନ୍ତାଶୀଳ ।
ଛୋଟ ଛୋଟ କଥାରେ କଇଁ କଇଁ ହୋଇ କାନ୍ଦୁଥିବା ଝିଅଟି
ଆଜି ଅନ୍ୟର ଲୁହ ପୋଛିବାକୁ ହୋଇପଡେ ତତ୍ପର
ଅନ୍ଧାରକୁ ଡରି ପଣତ ତଳେ ଲୁଚୁଥିବା ସେଫାଳି ଫୁଲଟିର
କସ୍ତା ପଣତ କେତେବେଳେ ଯେ ହୋଇଉଠେ ଆଉ କାହାର ବଳୟ ସୁରକ୍ଷାର ।
ଆଙ୍ଗୁଳିରେ ଟିକେ ଗରମ ତାତି ଲାଗିଲେ କମ୍ପାଉଥିଲା ଯିଏ ପୁରା ଘର
ଆଜି ସାରା ହାତ ଜଳିଗଲା ପରେ ବି ଖାଇବା ପ୍ରସ୍ତୁତ କରେ
ଅନ୍ୟପାଇଁ ଦିନକୁ ଦୁଇଥର ।
ଭାଇର ସାଙ୍ଗଙ୍କୁ ନିଜ ଭାଇ ଭାବି କରୁଥିଲା ଯିଏ ଦିନେ ତାଙ୍କ ସାଥେ କଳିଗୋଳ
ଆଜି ସେ ଡରୁଛି ନିଜ ଭାଇ ସାଥେ ମନଖୋଲି ବାଣ୍ଟିବାକୁ
ସ୍ନେହ, ପ୍ରେମ,ଥଟ୍ଟା, ମଜା ଆଉ ସମ୍ପର୍କ ମମତାର ।
ମାଆ ମାଆ ଡାକି ଯିଏ ଦିନେ ଘର କମ୍ପାଉଥିଲା
ତାର ମୁହଁରେ ଆଜି ନାହିଁ ସେଇ ମାଆ ଡାକର ସ୍ୱର
କଠିନ ,ଅସହନୀୟ ଦୁଃଖକୁ ଛାତିରେ ଲୁଚାଇ
ଆଜିବି ଖୋଜୁଛି ସିଏ ନିଜ ମାଆ ପରି ଆଶ୍ରାଟିଏ କାହାର ।
ଦିନ ଦଶଟାରେ ଶେଯରୁ ଉଠି ଯିଏ କହୁଥିଲା
ଓଃ ହୋ ଉଠିଗଲି ଏତେ ଶୀଘ୍ର
ଆଜି ସେ ସକାଳ ଛଅଟା ରେ ଉଠି ମଧ୍ୟ
ଭାବୁଛି ଉଠିବାରେ ଡେରି ହେଇଗଲା ମୋର ।
ନିଜର ଇଛା ପୂର୍ଣ୍ଣ ପାଇଁ କଟୁଥିଲା ବର୍ଷ ବର୍ଷ ଯାହାର
ଆଜି ସିଏ ନିଜ ଇଚ୍ଛାରେ ଶାଢ଼ୀଟିଏ କିଣିବାକୁ ବି ଚିନ୍ତା କରେ ବାରମ୍ବାର ।
ପୁରାଦିନ ଫାଙ୍କା ମାରି "ମୁଁ ବ୍ୟସ୍ତ ଅଛି "ବୋଲି ଦେଉଥିଲା ଯିଏ ଉତ୍ତର
ଏବେ ପୁରାଦିନ କାମ କରି ମଧ୍ୟ ଶୁଣିବାକୁ ପଡୁଛି ତାକୁ କାମଚୋର ।
ଗୋଟିଏ ପରୀକ୍ଷା ପାଇଁ ପୁରା ବର୍ଷ ପାଠପଢ଼ାରେ କଟୁଥିଲା ଯାହାର
ଏବେ ବିନା ପ୍ରସ୍ତୁତିରେ ପ୍ରତିଦିନ ଦିଏ ସେ ପରୀକ୍ଷା ତାର ଆଗାମୀ ଜୀବନର ।
ଝିଅଟିଏ ଚାଲିଗଲେ ଥରେ ଶାଶୂଘର ବଦଳିଯାଏ ସ୍ଵସ୍ଥିତି ତାର
ହେଇଯାଏ ପଥିକଟିଏ ସିଏ କେଉଁ ଏକ କଣ୍ଟକିତ ପଥ'ର ।
ଏତେ ତ୍ୟାଗ କରି ମଧ୍ୟ କାହିଁକି ସେ ଗଣାହୁଏ ଚିନ୍ତା ଆଉ ବୋଝର ଗନ୍ତାଘର
ଏହା ତ କେବଳ ସଠିକ କହିପାରିବେ ସଂସାରର ସମସ୍ତ ନାରୀଜାତି
କାରଣ କେବଳ ସେ ହିଁ ଜାଣିଛନ୍ତି ଏହାର ପ୍ରକୃତ ଉତ୍ତର ।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର
ମଧୁପାଟଣା, କଟକ-୭୫୩୦୧୦
Email-roja.saumya@gmail.com