ଅପେକ୍ଷମାଣ
ଅପେକ୍ଷମାଣ
ରୋମାଣ୍ଟିକ କବି ମାୟାଧର ମାନସିଂହ
(୧)
ଜାଣେ କି ବୀଜ ଆପଣା ସମ୍ଭାବନା ?
ତା' ସିନା ଜଣା ଦୂରସ୍ଥ ରବିରେ,
ସାଉଁଳି ତାକୁ ଆପଣା ଉଷ୍ମ କରେ
ଫୁଟାଏ ତାକୁ ସୁନ୍ଦର ଛବିରେ ।
(୨)
ପଉଷ ଶୀତେ ଜଡ଼ ସେ ବୃକ୍ଷଲତା,
ମାଟିରେ ଉଭା ନିସ୍ତେଜ ମଉନ,
ବସନ୍ତ ତା' ପରଶ ଦେଇ ଗଲେ
ପୁଷ୍ପ ଫଳ ବିକଶିଉଠେ ପୁନଃ ।
(୩)
ମାଟି ସେ ଥିଲା ଶୂନ୍ୟ,ରୁକ୍ଷ,ହେୟ,
ଆକାଶ ଦେଲା କରୁଣା-ରୂପ ବାରି,
ସେହି ସେ ମାଟି ଶ୍ୟାମଳ,ଚିକ୍କଣ
ଶସ୍ୟେ,ଫୁଲେ ହୁଅଇ ମନୋହାରୀ ।
(୪)
ମତେ କି ଜଣା ଆପଣା ସମ୍ଭାବନା ?
ସେ-ଜଣା ତବ କରୁଣାମୟ ମନେ,
ଅପେକ୍ଷିଛି ପ୍ରଭୁ ହେ ,ତେଣୁ,ବୀଜ
ଯେହ୍ନେ ଥାଏ ଅପେକ୍ଷି ତପନେ ।
ସମାପ୍ତ