ଭଲପାଏ ମୁହିଁ
ଭଲପାଏ ମୁହିଁ
କୁଞ୍ଜବିହାରୀ ଦାଶ
ଭଲପାଏ ମୁହିଁ କଅଁଳ ଫୁଲେ
କାକର ଟୋପି ଟୋପି
ପତର ଆଖି ପତାର ଲୁହ
ବରଷା ଥୋପି ଥୋପି ।
ଝରଇ ଯେବେ ଫଗୁ ଫଗୁଆ
କିରଣ ବାଟବଣା
ସଞ୍ଜୁଆଳୀ ସୁନେଲି ମେଘ
ଘୋଡ଼ଣି କରି କଣା ।
ଭଲପାଏ ମୁହିଁ ଚଉଦିଗର
ବଉଦ ଆଢ଼ୁଆଳେ
ଗୋଟିଏ ତରା ନୀରବେ ବସି
ଆଲୁଅ ଯେବେ ଢାଳେ ।
ଭଲପାଏ ମୁଁ ଘୁରିଘୁରିକା
ପତର ଯେବେ ଖସେ
ପରଜାପତି ପାଖୁଡ଼ା ପରେ
ଅଳସେ ଯେବେ ବସେ ।
ଭଲପାଏ ମୁଁ ସବୁଜ ବିଲେ
ଲାଜୁଆ ନେଳି କଇଁ
ଚୋରା ଆଲୁଅ ଟିପି ଉଡ଼ିଲେ
ଜୁଜୁଜୁଳିଆ ଛାଇ ।
ଭଲପାଏ ମୁଁ ଜାତିଜାତିକା
ହାତିଆ ପରବତେ
ସଞ୍ଜ ବୋହୂ ନାଲିଆ ଚିତା
ଲେଖିଲେ ମନମତେ ।
ଭଲପାଏ ମୁଁ ବାଦଲୁ ଆସି
ଗୋଲାପୀ ଏକ ପରୀ
ବିଜୁଳି ଗୁଣ ବଢ଼ାଇ ଦେଲେ
ଇନ୍ଦ୍ରଧନୁ ପରି ।
ଭଲପାଏ ମୁଁ ଦରିଆ କୂଳେ
ଲଢ଼ୁଆ ଢେଉ ଖେଳା
ମେଘୁଆ ଦିନେ ଶାଗୁଆ କ୍ଷେତେ
ଧୋବଲା ବଗ ମେଳା ।
ଦୁଇଟି ଆଖି କେତେ କି ଶୋଭା
ଦେଖିବି ଦିନରାତି
ପୂରିଉଠେ ମୋ ହସୁରା ମନ
ନାଚିଉଠେ ମୋ ଛାତି ।
ସମାପ୍ତ