ତୁ ସଖାବନ୍ଧୁ ମୋର
ତୁ ସଖାବନ୍ଧୁ ମୋର
ବନ୍ଧୁ ପଣେ ବରି ତୋତେରେ କାଳିଆ
କରିଅଛି ବନ୍ଧୁ ମୋର,
ଆନ ବନ୍ଧୁ ମୋର ନାହିଁ ପ୍ରୟୋଜନ
ତୁହି ସଖା ସହୋଦର।
ଏ ମହୀ ମଣ୍ଡଳେ ତୁହି ପରା ଶ୍ରେଷ୍ଠ
ବନ୍ଧୁ ପଣେ ଗଣା ହେଉ,
ଦୁଃଖ କଷ୍ଟ କିଛି ବାଧିବନି ମୋତେ
ତୋହ ପରି ବନ୍ଧୁ ଥାଉ।
ବେଳ ଅବେଳରେ ଡାକୁ ତୋ ପାଖକୁ
ଦିବ୍ୟ ଦର୍ଶନ ନିମିତ୍ତ,
ସବୁ ସୁଖ ତେଜି ଧାଏଁରେ କାଳିଆ
ଅଲୋଡ଼ା ତ ସବୁ ବିତ୍ତ।
ନୟନ ଯୁଗଳେ ନିତି ଲାଖିଥାଏ
ତୋର ମହାବାହୁ ରୂପ,
ସଂସାର ଜଞ୍ଜାଳ କର୍ମପଥେ ଚାଲେ
ନ ପଡେ କିଛି ସନ୍ତାପ।
ସବୁ ଦିବସ ତ ଆରମ୍ଭ ହୁଏ
ମୋ ତୋର ଚକାଆଖି ଠାରୁ,
ଫରକ ପଡେନି ଦିବସ ପାଳନ
ଯିଏ ବି ଯେମିତି କରୁ।
ତୁ ମୋର ଆତ୍ମା ତୁ ପରମାତ୍ମା
ତୁ ସଖା ବନ୍ଧୁ ମୋର,
ଉଷା କିରଣଠୁ ନିଶି ଶେଷ ଯାଏ
ହୃଦେ ଥାଉ ନିରନ୍ତର।
କାହିଁକି କାହାକୁ ତୋର ସେ ସ୍ଥାନରେ
ବସାଇବି କେଉଁ ଭାବେ,
ବନ୍ଧୁ ପରା ଏବେ ବନ୍ଧୁକ ସାଜନ୍ତି ବିଶ୍ଵାସର ପୂର୍ଣ୍ଣ କୁମ୍ଭେ।
ତୁ ଥିଲେ ମୋର ଏ ସାରା ସଂସାରେ
ଆନ ବନ୍ଧୁ ଲୋଡାନାହିଁ,
ଆହେ ଦୀନବନ୍ଧୁ ମୋ ଉପରେ ଆଡ଼
ନୟନରେ ଥିବ ଚାହିଁ।
ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର
ବାଲେଶ୍ଵର