ହିଂସ୍ର କିଏ !
ହିଂସ୍ର କିଏ !
ମଣିଷ ବି ଦିନେ ଜଂଗଲରେ ବାସ କରୁଥିଲା ପଶୁ ପରି
ଗଛ କୋରଡ କି ପାହାଡ ଗୁମ୍ଫା ଥିଲା ତା ଆଶ୍ରୟ ସ୍ଥଳୀ ।
ସିଂହ ବାଘ ସହ ଲଢେଇରେ ଜିତି ଆଣୁଥିଲା ତାର ଖାଦ୍ୟ
ହାରିଗଲା ଯଦି ଯମର ପରିବା ଥିଲା ତା'ର ଭବିତବ୍ୟ ।
କୋରଡରେ ତା'ର ସାଇତା ଦରବ ଜଗିବ କିଏ ସେ ବେଢି
ଦେଖିଲା ଦୁର୍ବଳା ନାରୀ ସାଥୀ ଖୋଜେ କାହୁଁ ପାରିବ ସେ ଲଢି !
ପରସ୍ପର ପରିପୂରକ ହେବାରୁ ବଢିଲା ଏକାତ୍ମ ଭାବ
ସୂର୍ଯ୍ୟ ଚନ୍ଦ୍ର ତାରା ସାକ୍ଷୀରଖି ଏକହେଲେ ଦୁହିଁଙ୍କର ଲାଭ ।
ପୁରୁଷର ବଳ ନାରୀ ଏକାଗ୍ରତା ଗୃହସ୍ଥିର ମୂଳଦୁଆ
ଜଂଜାଳ ବଢିଲା ଦୁନିଆଁଦାରୀର ହୋଇବାରୁ ପିଲାଛୁଆ ।
ହିଂସ୍ରଜନ୍ତୁ ଠାରୁ ସୁରକ୍ଷା ନିମନ୍ତେ ଜଂଗଲକୁ ସଫା କଲା
ଘରଟିଏ କଲେ ଆତ୍ମରକ୍ଷା ପାଇଁ ଦୁଆର ବନ୍ଧ ରଖିଲା ।
କୁଟୁମ୍ବ ବଢିଲା ସମାଜ ଗଢିଲା ସୃଷ୍ଟିର ଶ୍ରେଷ୍ଠ ଜୀବ
ଦୟା କ୍ଷମା ଶାନ୍ତି ମୈତ୍ରୀ ପ୍ରୀତିର ଫଲଗୁ ସତେ ବହିବ !
ବୁଦ୍ଧିର ପ୍ରୟୋଗ ମଣିଷ ଜାତିକୁ କରାଇଲା ବଳବାନ
ହିଂସ୍ର ପଶୁ ଲୁଚିବାକୁ ଥାନ ନାହିଁ ଗଛ ଲତା କଲା ଛିନ୍ନ ।
ହିଂସା ଈର୍ଷା ଘୃଣା କପଟାଚାର ତା ଅସ୍ଥି ମଜ୍ଜାଗତ ହେଲା
ଯେତେ ଖାଇଲେବି ପେଟ ପୁରେନାହିଁ ସବୁଠି ହାତ ମାରିଲା।
ପଶୁରାଜ ସିନା ଶିକାର କରେନା କ୍ଷୁଧାତୁର ନ ହୋଇଲେ
ମଣିଷ କରଇ ଅବାଧ ଶିକାର ବଡ ପଣିଆର ବୋଲେ ।
ହିଂସ୍ର ପଶୁଠାରୁ ଡରି ଯିଏ ଦିନେ ଘରଟିଏ କରିଥିଲା
ସର୍କସରେ ଆଜି ନଚାଉଛି ତାକୁ ଦେଖିଲେ ସିଏ ଲୁଚିଲା ।
ଆଜି ଯଦି କିଏ ପଚାରେ ସବୁଠୁ ହିଂସ୍ର କିଏ ଜଗତରେ
ମଣିଷଠୁ ହିଂସ୍ର ନାହିଁ କେ ଜଗତେ କିମାଶ୍ଚର୍ଯ୍ୟ ଏ ଉତ୍ତରେ !
-ବିଶ୍ୱେଶ୍ଵର ମାଝୀ-